କାନବେରା,ଏଜେନ୍ସି: ପ୍ରଥମ ୨ଟିଯାକ ଦିନିକିଆ ମ୍ୟାଚ୍ ଜିତି ସିରିଜ୍ ହାତେଇ ସାରିଛି ଘରୋଇ ଅଷ୍ଟ୍ରେଲିଆ। ବୁଧବାର ମାନୁକା ଓଭାଲ୍ ଗ୍ରାଉଣ୍ଡରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ସିରିଜର ଫଇସଲା ହୋଇ ସାରିଥିଲେ ମଧ୍ୟ ଉଭୟ ଦଳ ଏହି ମ୍ୟାଚରେ ଢିଲାପଣ ଦେଖାଇବାର ସମ୍ଭାବନା କମ୍। ଏହି ମ୍ୟାଚ୍ ଜିତି ସମ୍ମାନ ଫେରି ପାଇବାର ପ୍ରୟାସ କରିବ ଭାରତ। ଏହାସହ ବିଜୟଧାରାକୁ ଫେରିବା ସହ ଟ୍ବେଣ୍ଟି-୨୦ ସିରିଜ୍ ପୂର୍ବରୁ ଆତ୍ମବିଶ୍ବାସ ଫେରି ପାଇବାର ପ୍ରୟାସ ଟିମ୍ ଇଣ୍ଡିଆ କରିବ। ଅନ୍ୟପକ୍ଷରେ ସିରିଜ୍ ପୋଛିନେବା ସହ ଭାରତ ଉପରେ ପ୍ରାଧାନ୍ୟ ବଜାୟ ରଖିବାକୁ ଅଷ୍ଟ୍ରେଲିଆ ଚାହିଁବ। ପୁଣି କ୍ରମାଗତ ୨ଟି ଦିନିକିଆ ସିରିଜକୁ ୦-୩ରେ ହାରିବାକୁ ଭାରତ ଚାହିଁବ ନାହିଁ। ଚଳିତବର୍ଷ ପ୍ରାରମ୍ଭରେ ନ୍ୟୁଜିଲାଣ୍ଡଠାରୁ ଭାରତ ୦-୩ରେ ଦିିନିକିଆ ସିରିଜ୍ ହାରିଥିଲା।
୨ଟି ଦିନିକିଆରେ ଅଷ୍ଟ୍ରେଲିଆ ୩୭୪ ଓ ୩୮୯ ରନ କରି ଭାରତୀୟ ବୋଲିଂର ଦୁର୍ବଳତାକୁ ପଦାରେ ପକାଇ ପାରିଛି। ଏହି ୨ଟି ଦିନିକିଆରେ ଅଷ୍ଟ୍ରେଲିଆ ପକ୍ଷରୁ ୩ଟି ଶତକ ଦେଖିବାକୁ ମିଳିଛି। ଉଭୟ ମ୍ୟାଚରେ ୬୨ ବଲରୁ ଶତକ ଅର୍ଜନକରି ଷ୍ଟିଭ ସ୍ମିଥ୍ ତାଙ୍କ ଚମତ୍କାର ଫର୍ମର ପ୍ରମାଣ ଦେଇ ସାରିଛନ୍ତି। ତେବେ ଡେଭିଡ୍ ୱାର୍ଣ୍ଣର ଓ ପ୍ୟାଟ୍ କମିନସଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆକୁ ସାମାନ୍ୟ ଦୁର୍ବଳ କରିଦେଇଛି। ଏହାର ଫାଇଦା ନେବାକୁ ବିରାଟ ସେନା ପ୍ରୟାସ କରିବ। ୱାର୍ଣ୍ଣର ଉଭୟ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ବେଳେ କମିନସ ଦଳର ଶ୍ରେଷ୍ଠ ବୋଲରର ମାନ୍ୟତା ପାଇଛନ୍ତି। କମିନସଙ୍କ ସ୍ଥାନରେ ସନ୍ ଆବଟ୍ ଖେଳିବା ନିଶ୍ଚିତ। ତେବେ ୱାର୍ଣ୍ଣରଙ୍କ ସ୍ଥାନରେ ମାଥ୍ୟୁ ୱେଡ୍ କିମ୍ବା ଡି’ଆର୍ସି ସର୍ଟ ଓପନ୍ କରିପାରନ୍ତି। ମୋଇଜେସ୍ ହେନରିକସ ଆଉ ଏକ ସୁଯୋଗ ପାଇବେ। ଭାରତ ଓପ୍ନର ଭାବେ ଶିଖର ଧାୱନଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ପୁଣି ଶ୍ରେୟସ ଆୟରଙ୍କ ସ୍ଥାନ ମନୀଷ ପାଣ୍ଡେ ନେଇପାରନ୍ତି।
ବୋଲିଂ ବିଭାଗରେ ନବଦୀପ ସୈନିଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁର ଖେଳିପାରନ୍ତି। ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍ରାଙ୍କ ମଧ୍ୟରୁ ଜଣେ ବିଶ୍ରାମ ନେବା ନିଶ୍ଚିତ। ଭାରତ ସିରିଜ୍ ହାରି ସାରିଥିବାରୁ ଉଭୟଙ୍କୁ ବିଶ୍ରାମଦେଇ ଟି. ନଟରାଜନଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ଉଭୟ ମ୍ୟାଚରେ ବିଫଳ ହୋଇଥିବା ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବାର ସମ୍ଭାବନା ରହିଛି। ମାନୁକା ଓଭାଲରେ ଅତ୍ୟଧିକ ରନ ହେବାର ନଜିର ରହିଛି। ପୁଣି ଏଠାରେ ଗତ ୭ଟି ଦିନିକିଆ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୬ଟି ଜିତିଛି। ଏଠାରେ ଓଭର୍ ପିଛା ହାରହାରି ରନ ହାର ୬.୩୬। ୨୦୧୬ ପରଠାରୁ ପ୍ରଥମଥର ଭାରତୀୟ ଦଳ କ୍ରମାଗତ ୫ଟି ଦିନିକିଆ ମ୍ୟାଚ୍ ହାରିଛି।