ଆଜିଠୁ ଭ।ରତ-ସାଉଥ୍ ଆଫ୍ରିକା ପ୍ରଥମ ଟେଷ୍ଟ: ସାହା ଖେଳିବେ, ରୋହିତ ଓପନିଂ କରିବେ

ବିଶାଖପାଟଣା,୧ା୧୦/ଏଜେନ୍ସି: ଘରୋଇ ଭାରତ ଓ ଭ୍ରମଣକାରୀ ସାଉଥ୍ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଡ. ୱାଇ ଏସ୍ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡ଼ିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ଶିପ୍ରେ ଏହା ଭାରତର ଦ୍ୱିତୀୟ ଏବଂ ଘରୋଇ ମାଟିରେ ପ୍ରଥମ ସିରିଜ ହେବ। ସେହିପରି ସାଉଥ୍ ଆଫ୍ରିକାର ଏହା ପ୍ରଥମ ସିରିଜ ରହିଛି। ଟେଷ୍ଟ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଥିବା ଭାରତ ବିପକ୍ଷରେ ସାଉଥ୍ ଆଫ୍ରିକା ଏକ ଅନଭିଜ୍ଞ ଦଳକୁ ନେଇ ଖେଳିବ। ଗତ ଦିନିକିଆ ବିଶ୍ୱକପ୍ ପରେ ଅନେକ ବରିଷ୍ଠ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଫାଫ୍ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ଏକ ଯୁବ ଦଳ ଭାରତ ବିପକ୍ଷରେ ଶକ୍ତି ପରୀକ୍ଷା କରିବ। ଭାରତ ଗସ୍ତରେ ସାଉଥ୍ ଆଫ୍ରିକାର ଏହା ସପ୍ତମ ଟେଷ୍ଟ ସିରିଜ। ଏହାକୁ ଜିତି ଭ୍ରମଣକାରୀ ଦଳ ଦୀର୍ଘ ୧୯ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ୨୦୧୨-୧୩ ସିଜିନ୍ରୁ ଏପର୍ଯ୍ୟନ୍ତ ଘରୋଇ ପରିବେଶରେ ଲଗାତାର ୧୦ଟି ଟେଷ୍ଟ ସିରିଜ ଜିତିଥିବା ଭାରତ ବିରାଟ କୋହଲିଙ୍କ ନେତୃତ୍ୱରେ ଏହି ସିରିଜ ଜିତି ଲଗାତାର ୧୧ଟି ସିରିଜ ଜିତିପାରିଲେ ବିଶ୍ୱର ଶ୍ରେଷ୍ଠ ଦଳ ବୋଲି ପ୍ରମାଣିତ କରିବ।

ଏହି ସିରିଜ ମାଧ୍ୟମରେ ଶର୍ଟ ଫର୍ମାଟ କ୍ରିକେଟରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓପନର ଭାବେ ପରିଚିତ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍ରେ ନିଜର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ। ବର୍ତ୍ତମାନ ସୁଦ୍ଧା ମିଡଲ ଅର୍ଡରରେ ବ୍ୟାଟିଂ କରୁଥିବା ରୋହିତ ସାଉଥ୍ ଆଫ୍ରିକା ବିପକ୍ଷରେ ଓପନିଂ କରିବେ। ସେହିପରି ଧୋନିଙ୍କ ପରେ ଭାରତୀୟ ଟେଷ୍ଟ ୱିକେଟ୍ କିପିଙ୍ଗ ଭାର ସମ୍ଭାଳିଥିବା ବେଙ୍ଗଲ କ୍ରିକେଟର ରିଦ୍ଧିମାନ୍ ସାହା ଏହି ମ୍ୟାଚ ଖେଳିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି। ଆହତ ସମସ୍ୟା ପାଇଁ ପ୍ରଥମେ ଦଳରୁ ବାଦ୍ ପଡ଼ିଥିବା ସାହା ପରେ ଦଳରେ ସାମିଲ ହୋଇମଧ୍ୟ ଦିଲ୍ଲୀ କ୍ରିକେଟର ଋଷଭ ପନ୍ତଙ୍କ ଯୋଗୁଁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। କିନ୍ତୁ ବାରମ୍ବାର ଖରାପ ପ୍ରଦର୍ଶନ କରିବାରୁ ତାଙ୍କ ଚୟନକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଯାହାର ଅନ୍ତ ଏବେ କୋହଲି କରିଛନ୍ତି। ସେହିପରି ଏହି ମ୍ୟାଚ୍ରେ ରବିଚନ୍ଦ୍ରନ୍ ଅଶ୍ୱିନ ଖେଳିବେ।