ସନ୍ଧ୍ୟା ୭ଟାରେ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍

ହିମାଞ୍ଚଳପ୍ରଦେଶ,ଏଜେନ୍ସି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ପ୍ରଥମ ଟି-୨୦ ମୁକାବିଲା ହେବାକୁ ଯାଉଛି। ଏହି ମ୍ୟାଚ୍ଟି ହିମାଞ୍ଚଳ ପ୍ରଦେଶ କ୍ରିକେଟ ଆସୋସିଏସନ, ଧର୍ମଶାଳାରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚ୍ଟି ସନ୍ଧ୍ୟା ୭ଟାରେ ଆରମ୍ଭ ହେବାକୁ ଥିବାବେଳେ ଧର୍ମଶାଳାରେ ପାଣିପାଗ ନରମ ଅଛି। ସେଠାରେ ବର୍ଷା ହେଉଥିବାବେଳେ ଏହି ମ୍ୟାଚଟି ବାତିଲ ହେବାର ସମ୍ଭାବନା ଦେଖାଦେଇଛି। ଅନ୍ୟପଟେ ଏହି ମ୍ୟାଚ୍ ପାଇଁ ଭାରତୀୟ ଟିମ୍ ଧର୍ମଶାଳାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛି। ତେବେ ଏହି ଖେଳ ଉପରେ ସମସ୍ତଙ୍କ ନଜର ରହିଛି।

ଏହି ମ୍ୟାଚ୍ ମାଧ୍ୟମରେ ସାଉଥ୍ ଆଫ୍ରକା ନୂଆ ଅଧିନାୟକ କ୍ୱିଣ୍ଟନ୍ ଡି କକଙ୍କ ନେତୃତ୍ୱରେ ଅଭିଯାନ ଆରମ୍ଭ କରିବ। ଦଳର ଅଭିଜ୍ଞ ଖେଳାଳି ଫାଫ୍ ଡୁ ପ୍ଲେସିସଙ୍କ ଅନୁପସ୍ଥିତିରେ ଏକ ଯୁବ ଦଳକୁ ନେଇ ଡି କକ୍ ପଡ଼ିଆକୁ ଓହ୍ଲାଇବେ। ଗତ ବିଶ୍ୱକପରେ ଶୋଚନୀୟ ପରାଜୟ ସାଙ୍ଗକୁ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସତ୍ତେ୍ୱ ଭାରତ ବିପକ୍ଷରେ ଏହି ମ୍ୟାଚ୍ ଜିତି ସାଉଥ୍ ଆଫ୍ରିକା ୨୦୨୦ ଟି-୨୦ ବିଶ୍ୱକପ୍ ପାଇଁ ଏବେଠାରୁ ନିଜକୁ ପ୍ରସ୍ତୁତ କରୁଛି। ସେହିପରି ଘରୋଇ ପଡିଆରେ ଭାରତ ଏକ ସନ୍ତୁଳିତ ଦଳକୁ ନେଇ ଖେଳିବ। ବିଶ୍ୱକପ୍ ପରେ ୱେଷ୍ଟଇଣ୍ଡିଜକୁ ସିରିଜ ମୂଳପୋଛ କରି ବିରାଟ ବାହିନୀ ଏବେ ଭଲ ଫର୍ମରେ ରହିଛି। ଟି-୨୦ରେ ଏକ ଶକ୍ତିଶାଳୀ ଦଳ ଭାବେ ପରିଚିତ ସାଉଥ୍ ଆଫ୍ରିକାକୁ ପରାସ୍ତ କରିବା ପାଇଁ ଭାରତ ସବୁଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିବ। ପୂର୍ବରୁ ଉଭୟ ଦଳ ମଧ୍ୟରେ ୨୦୧୫ରେ ଏହି ଷ୍ଟାଡ଼ିୟମରେ ଅନୁଷ୍ଠିତ ମ୍ୟାଚରେ ସାଉଥ୍ ଆଫ୍ରିକା ୨୦୦ରନର ଟାର୍ଗେଟକୁ ଅତିକ୍ରମ କରି ବିଜୟୀ ହୋଇଥିଲା। ଭାରତ ଏହି ଫଳାଫଳକୁ ଦୋହରାଇବାକୁ ନଦେବା ପାଇଁ ଚେଷ୍ଟା କରିବ।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧୱନ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା/ୱାଶିଂଟନ୍ ସୁନ୍ଦର, ଶ୍ରେୟସ୍ ଆୟାର/ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ନବଦୀପ ସୈନୀ, ଦୀପକ ଚହର ଓ ରହୁଲ ଚହର

ସାଉଥ୍ ଆଫ୍ରିକା: କ୍ୱିଣ୍ଟନ୍ ଡି କକ୍ (ଅଧିନାୟକ, ୱିକେଟ୍ କିପର), ରାସି ଭାନ୍ ଡର୍ ଡୁସେନ୍, ରୀଜା ହେଣ୍ଡ୍ରିକ୍ସ, ଡେଭିଡ୍ ମିଲର, ତେମ୍ବା ବାଭୁମା, ଜର୍ଜ ଲିଣ୍ଡେ/ ଡ୍ୱେନ୍ ପ୍ରିଟୋରିୟସ୍, ଆନ୍ଦିଲ ଫେଲୁକୱାଅ, କାଗିସୋ ରାବାଡା, ବେଉରାନ୍ ହେଣ୍ଡ୍ରିକ୍ସ, ଜୁନିଅର ଡାଲା/ଆନରିକ୍ ନୋର୍ଜେ ଓ ତାବ୍ରେଜ୍ ସାମସି