ଆଜି ନ୍ୟୁଜିଲାଣ୍ଡ-ଇଣ୍ଡିଆ ପ୍ରଥମ ଟି-୨୦

ଅକ୍ଲାଣ୍ଡ,ଏଜେନ୍ସି: ଘରୋଇ ନ୍ୟୁଜିଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଶୁକ୍ରବାର ଏଠାରେ ଥିବା ଇଡେନ୍ ପାର୍କରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ପ୍ରଥମଥର ପାଇଁ ଭାରତ ଏହି ଗସ୍ତରେ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ନ୍ୟୁଜିଲାଣ୍ଡରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଟି-୨୦ ସିରିଜ ଜିତିନଥିବା ଭାରତ ଏହି ମ୍ୟାଚ୍ ଜିତି ସିରିଜ ବିଜୟ ପାଇଁ ଅଭିଯାନ ଆରମ୍ଭ କରିବ। ଅଷ୍ଟ୍ରେଲିଆକୁ ଘରୋଇ ପଡିଆରେ ଦିନିକିଆ ସିରିଜ ପରାସ୍ତ କରି ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତ ଏବେ ଭଲ ଫର୍ମରେ ରହିଛି। ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଠ ଫର୍ମରେ ରହିଛି। ଦଳର ବର୍ତ୍ତମାନର ପ୍ରଦର୍ଶନ ଭାରତକୁ ମ୍ୟାଚ୍ ଜିତାଇବାର ସମ୍ଭାବନା ସୃଷ୍ଟି କରୁଛି। କିନ୍ତୁ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡର ପଲା ଭାରତ ଉପରେ ସବୁବେଳେ ଭାରି ରହିଛି। ଯାହାର ଫାଇଦା ନେବାକୁ ଦଳ ଚାହିଁବ। କେନ୍ ୱିଲିୟମ୍ସନ୍ଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ଭାରତ ଉପରେ ବିଜୟ ଅଭିଯାନ ଜାରିରଖିବାକୁ ଚେଷ୍ଟା କରିବ।
ହେଡ୍ ଟୁ ହେଡ୍
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି। ଏହାମଧ୍ୟରୁ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୩ଟି ଜିତିଛି। ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା।
ନ୍ୟୁଜିଲାଣ୍ଡରେ ଉଭୟ ଦଳ ମଧ୍ୟରେ ଦୁଇଟି ସିରିଜରେ ୫ଟି ମ୍ୟାଚ୍ ଖେଳାଯାଇଛି। ଏହାମଧ୍ୟରୁ ଭାରତ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଉଭୟ ସିରିଜ ନ୍ୟୁଜିଲାଣ୍ଡ ନାମରେ ରହିଛି।
ପିଚ୍ ଓ ପାଗ
ଇଡେନ୍ ପାର୍କ ଏକ ବାଉନ୍ସ ପିଚ୍ ହୋଇଥିବାରୁ ଏଠାରେ ଦ୍ରୁତ ବୋଲରଙ୍କ ଦବ୍ଦବା ଅଧିକ ରହିବ। ଏହାସହ ବ୍ୟାଟ୍ସମ୍ୟାନ୍ ପସନ୍ଦ ମୂତାବକ ଶଟ୍ ଖେଳିପାରିବେ। ପଡ଼ିଆକୁ ଦୃଷ୍ଟିରେ ରଖିଲେ ଏଠାରେ ଟସ୍ ଜିତିବା ଦଳ ପ୍ରଥମେ ଫିଲ୍ଡି କରିବାକୁ ନିଷ୍ପତି ନେବାର ଅଧିକ ସମ୍ଭାବନା ରହିଛି। ଅକ୍ଲାଣ୍ଡ ସହରରେ ମ୍ୟାଚ୍ ସମୟରେ ପବନ ବହିବ। ଏହାସହକୁ ଗରମ ଅନୁଭୂତ ହେବ।
ଏହି ପଡ଼ିଆରେ ୧୯ଟି ମ୍ୟାଚ୍ ଖେଳାଯାଇଛି। ଏହାମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୯ଟି ମ୍ୟାଚ୍ ଜିତିଥିବା ବେଳେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୭ଟି ମ୍ୟାଚ୍ ବିଜୟୀ ହୋଇଛି। ୩ଟି ମ୍ୟାଚ୍ ଫଳଫଳ ବାହାରି ନାହିଁ।

ସମ୍ବାବ୍ୟ ଦଳ:

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ୍ (ୱିକେଟକିପର), ରବୀନ୍ଦ୍ର ଜାଡେଜା/ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ୍ ଶମୀ, ନଭଦୀପ ସୈନୀ।

ନ୍ୟୁଜିଲାଣ୍ଡ: ମାର୍ଟିନ୍ ଗପ୍ଟିଲ, କଲିନ୍ ମୁନ୍ରୋ, କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟିମ୍ ସେଫର୍ଟ (ୱିକେଟକିପର), କଲିନ୍ ଡେ ଗ୍ରାଣ୍ଡହୋମ, ରସ୍ ଟେଲର, ଡାରେଲ ମିଚେଲ, ମିଚେଲ ସାଣ୍ଟନର, ସ୍କଟ୍ କୁଗ୍ଲେଜେନ୍, ଟିମ୍ ସାଉଦୀ, ବ୍ଲେୟାର ଟିକ୍ନର।