ଆଜିଠୁ ଇଣ୍ଡିଆ-ବାଂଲାଦେଶ ପ୍ରଥମ ଟେଷ୍ଟ

ଇନ୍ଦୋର,ଏଜେନ୍ସି: ଘରୋଇ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଗୁରୁବାରଠାରୁ ଏଠାରେ ଥିବା ହୋଲକାର କ୍ରିକେଟ୍ ଷ୍ଟାଡ଼ିୟମରେ ଖେଳାଯିବ। ଏହି ମ୍ୟାଚକୁ ଜିତି ଦୁଇ ଦଳ ରେକର୍ଡ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ରହିବେ। ବର୍ତ୍ତମାନ ସୁଦ୍ଧା ଉଭୟ ରାଷ୍ଟ୍ର ମଧ୍ୟରେ ୯ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୭ଟିରେ ବିଜୟୀ ହୋଇଛି ଏବଂ ଦୁଇଟି ମ୍ୟାଚ୍ ଡ୍ର’ ରହିଥିଲା। ନୂଆ ଅଧିନାୟକ ମୋମିନୁଲ ହକ୍ଙ୍କ ନେତୃତ୍ୱରେ ଯୁବ ବାଂଲା ଦଳ କରିସ୍ମା କରିବା ସହ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ବିଜୟ ଲକ୍ଷ୍ୟରେ ଖେଳିବ। ଅନ୍ୟପକ୍ଷରେ ଏବେ ଟେଷ୍ଟ ର୍ୟାଙ୍କିଙ୍ଗରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବିରାଟ କୋହଲିଙ୍କ ନେତୃତ୍ୱଧିନ ଭାରତକୁ ଘରୋଇ ମାଟିରେ ଏହି ସିରିଜ ବିଜୟୀ ହୋଇ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିବ। ଭାରତକୁ ହରାଇବା ପାଇଁ ବାଂଲାଦେଶକୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ।

ଫିକ୍ସିଂ ଅଭିଯୋଗରେ ବରିଷ୍ଠ ଖେଳାଳି ତଥା ଅଧିନାୟକ ସାକିବ ଅଲ୍ ହସନ୍ ୨ବର୍ଷ ବାସନ୍ଦ ହେବା ଓ ଓପନର ତମିମ୍ ଇକ୍ବାଲ ଓହରିବା ଦ୍ୱାରା ଏବେ ବାଂଲାଦଳରେ ପ୍ରାୟ ସମସ୍ତ ଖେଳାଳି ପ୍ରଥମଥର ପାଇଁ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବେ। ଅଭିଜ୍ଞ ଖେଳାଳି ଭାବେ କେବଳ ପୂର୍ବତନ ଅଧିନାୟକ ମୁସ୍ଫିକର ରହିମ୍ ଓ ଟି-୨୦ ଅଧିନାୟକ ମହମ୍ମଦୁଲ୍ଲା ଏହି ଗସ୍ତରେ ରହିଛନ୍ତି। ଭାରତ ବିପକ୍ଷରେ ବାଂଲାଦେଶ ଏକ ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ନେଇ ପଡ଼ିଆକୁ ଓହ୍ଲାଇବ।

ଯୁବ ଓପନର ଶଦ୍ମାନ୍ ଇସ୍ଲାମ୍ଙ୍କ ସହ ୱିକେଟ୍ କିପର ଲିଟନ୍ ଦାସ୍ ମ୍ୟାଚ୍ ଓପନିଂ କରିପାରନ୍ତି। ଶଦ୍ମାନ୍ ବର୍ତ୍ତମାନ ସୁଦ୍ଧା ୭ଟି ଇନିଂସ୍ରୁ ୨୩୪ ରନ୍ ସଂଗ୍ରହ କରିଛନ୍ତି। ସାକିବଙ୍କ ଅନୁପସ୍ଥିତିରେ ମିଡଲ ଅର୍ଡରରେ ଅଧିନାୟକ ମୋମିନୁଲ ହକ୍ଙ୍କ ସହ ଶଳା-ଭିଣୋଇ ଯୋଡି ମୁସ୍ଫିକର ରହିମ୍ ଓ ମହମ୍ମଦୁଲ୍ଲା ରିୟାଦ୍ ଦଳର ଭାର ସମ୍ଭାଳିବେ। ତିନି ନମ୍ବର ସ୍ଥାନରେ ନିଜେ ମୋମିନୁଲ ଖେଳିବେ। ପରେ ୱିକେଟ୍ କିପର ମହମ୍ମଦ ମିଥୁନ୍ ଓ ଅଲ୍ରାଉଣ୍ଡର ମେହଦୀ ହସନ୍ ମିରାଜ ଖେଳିବେ। ବୋଲିଂ ନେତୃତ୍ୱ ତଇଜୁଲ ଇସ୍ଲାମ, ମୁସ୍ତାଫିଜୁର ରହମନ୍, ଏବାଦତ୍ ହୋସେନ୍ ଓ ଅଲ ଆମିନ୍ ହୋସେନ୍ ନେବେ। ତଇଜୁଲ ଓ ମେହଦୀ ହସନ୍ ସ୍ପିନ୍ ବୋଲିଂ ସମ୍ଭାଳିବେ।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, ରିଦ୍ଧିମାନ୍ ଶାହା (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ/କୁଲଦୀପ ଯାଦବ।

ବାଂଲାଦେଶ: ଶଦ୍ମାନ୍ ଇସ୍ଲାମ୍, ଲିଟନ୍ ଦାସ୍, ମୋମିନୁଲ ହକ୍ (ଅଧିନାୟକ), ମୁସ୍ଫିକର ରହିମ, ମହମ୍ମଦୁଲ୍ଲା ରିୟାଦ୍, ମହମ୍ମଦ ମିଥୁନ୍ (ୱିକେଟ୍ କିପର), ମେହଦୀ ହସନ୍ ମିରାଜ, ତଇଜୁଲ ଇସ୍ଲାମ, ମୁସ୍ତାଫିଜୁର ରହମନ୍, ଏବାଦତ୍ ହୋସେନ୍ ଓ ଅଲ ଆମିନ୍ ହୋସେନ୍ ନେବେ।