ଆଜି ମଧ୍ୟାହ୍ନ ୧୨ଟାରେ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା

ଗୁହାଟୀ,ଏଜେନ୍ସି: ଏକଦା କଂଗ୍ରେସରେ ରହି ଆସାମର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ପୂରଣ କରିପାରି ନଥିବା ନେତା ହିମନ୍ତ ବିଶ୍ୱ ଶର୍ମା ବିଜେପିକୁ ଆସି ଏହାକୁ ସଫଳ କରିପାରିଛନ୍ତି। ବିଜେପି ବିଧାୟକ ଦଳର ରବିବାର ବୈଠକରେ ନେତା ଚୟନ ହେବା ପରେ ଆଜି ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ, ହିମନ୍ତ ବିଶ୍ୱ ଶର୍ମା ୨୦୧୪ରେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। କଂଗ୍ରେସ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ହେବାକୁ ମନ ବଳାଇଥିଲେ। ତାଙ୍କ ସହିତ ପ୍ରାୟ ୩୮ ଜଣ ବିଧାୟକ ଥିଲେ। କିନ୍ତୁ ତାଙ୍କର ଦାବିକୁ କଂଗ୍ରେସ ଅଣଦେଖା କରିଥିଲା। ସେହି ସମୟରେ ହିମନ୍ତ ବିଶ୍ୱ ଶର୍ମା ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଇସ୍ତଫା ଦେଇଥିଲେ।

ବର୍ଷ ୨୦୧୬ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ସେ ମୁଖ୍ୟମନ୍ତ୍ରୀ ହୋଇପାରି ନଥିଲେ। କିନ୍ତୁ ଏଥର (୨୦୨୧) ବିଧାନସଭା ନିର୍ବାଚନରେ ତାଙ୍କର ପରିଶ୍ରମକୁ ଦଳ ହୃଦୟଙ୍ଗମ କରିପାରିଛି। ସର୍ବାନନ୍ଦ ସୋନେୱାଲଙ୍କ ସ୍ଥାନରେ ଦଳ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି।