ଆଜି ଆସିବ ଅଯୋଧ୍ୟା ମାମଲାର ରାୟ, ଅଯୋଧ୍ୟା ଓ ଜାମ୍ମୁ କାଶ୍ମୀରରେ ୧୪୪ଧାରା ଲାଗୁ

ଲକ୍ଷ୍ନୌ,ଏଜେନ୍ସି: ଅଯୋଧ୍ୟା ଫଇସଲାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ରାୟ ଆଜି ପ୍ରକାଶ ପାଇବ। ଏ ନେଇ ଉତ୍ତର ପ୍ରଦେଶର କେତେକ ସ୍ଥାନ ସମେତ ଜାମ୍ମୁ-କାଶ୍ମୀରରେ ୧୪୪ ଧାରା ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଥିବା ବେଳେ ମଦଦୋକାନ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ସତର୍କ ରହିବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋଦ୍ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏଥିସହ ୪ହଜାର ଅର୍ଦ୍ଧସୈନିକଙ୍କୁ ନିୟୋଜିତ କରାଯାଇଛି । ୭୮ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ସୁରକ୍ଷା ବାହୀନି ଆଲର୍ଟ କରାଯାଇଛି। ସେହିପରି ଅଯୋଧ୍ୟା ଅଞ୍ଚଳର ସମସ୍ତ କଲ ରେକର୍ଡ଼ଂ କରାଯିବ। ସୋସିଆଲ ମିଡିଆରେ ଯେପରି କେହି କୌଣସି ବିବାଦୀୟ ମନ୍ତବ୍ୟ ନଦେବେ ସେଥିପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି । ଏପରିକି ଆବଶ୍ୟକ ପଡିଲେ ଇଂଟରନେଟ ସେବା ବନ୍ଦ କରି ଦିଆଯାଇପାରେ ।

ଜିଲ୍ଲା ଅଧିକାରୀ ଧର୍ମଗୁରୁଙ୍କ ସହ ଆଲୋଚନା କରୁଛନ୍ତି । ସେନା ଏବଂ ବାୟୁସେନାକୁ ମଧ୍ୟ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଏହାସହ ୬ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନେ ରାୟ ଆସିଲା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି । କେବଳ ଅଯୋଧ୍ୟାରେ ୧୫ ହଜାର ଯବାନ ମୁତୟନ ହୋଇଥିବା ଜଣାପଡିଛି । ପ୍ରଧାନ ବିଚାରପତିଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା ସହିତ ମାମଲା ଶୁଣାଣି କରୁଥିବା ୫ ଜଣିଆ ପୀଠର ଅନ୍ୟ ବିଚାରପତିଙ୍କୁ ସ୍ବତନ୍ତ୍ର ସୁରକ୍ଷା ଗୃହ ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ଉତର ପ୍ରଦେଶ, ଜାମ୍ମୁ କାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ମଙ୍ଗଳବାର ଯାଏ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି । ଏପଟେ ଐତିହାସିକ ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଟୁଇଟ୍ କରି ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତିନିଟି ଟୁଇଟରେ ସେ ଲେଖିଛନ୍ତି ଯେ, ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ଯେଉଁ ନିଷ୍ପତି ଆସିବ ତାହା କାହାର ବିଜୟ କିମ୍ବା ପରାଜୟ ହେବ ନାହିଁ । ଏହି ନିଷ୍ପତି ଭାରତର ଶାନ୍ତି, ଏକତା ଓ ସଦଭାବନାର ମହାନ ପରମ୍ପରାକୁ ଯେଭଳି ଅଧିକ ମଜଭୁତ କରିବ ସେଥିପ୍ରତି ପ୍ରାଥମିକତା ଦେବାକୁ ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ।

ଦେଶର ନ୍ୟାୟପାଳିକାର ମାନ ସମ୍ମାନକୁ ଶୀର୍ଷରେ ରଖି ସମାଜର ସମସ୍ତ ପକ୍ଷ, ସାମାଜିକ ଓ ସାଂସ୍କୃତିକ ସଂଗଠନ ଗୁଡିକ ଯେଭଳି ସୌହାଦ୍ଦ୍ୟପୂଣ୍ଣ ଓ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଲାଗି ପ୍ରୟାସ କରିଛନ୍ତି, ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । କୋର୍ଟଙ୍କ ନିଷ୍ପତି ପରେ ମଧ୍ୟ ଆମକୁ ସେହିଭଳି ସୌହାର୍ଦ୍ଦ୍ୟପୂଣ୍ଣ ବାତାବରଣ ବଜାୟ ରଖିବାକୁ ହେବ ।

ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଟ୍ୱିଟ ଜରିଆରେ ସୁପ୍ରିମକୋର୍ଟର ରାୟକୁ ସମ୍ମାନ ଜଣାଇବା ଓ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଏଥିସହ ଭାଇ ଚାରାକୁ ବଜାୟ ରଖି ଶାନ୍ତିର ସହ ରହିବାକୁ କହିଛନ୍ତି।