କୋରାପୁଟ, ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ଆଜି ୨୧ଜଣ ମହିଳାଙ୍କ ସମେତ ୬୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୭ କୁ ବୃଦ୍ଧି ପାଇଥିବା ଜିଲ୍ଲାପାଳ ମଧୁ ସୂଦନ ମିଶ୍ର ସୂଚନା ଦେଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ଟିଏମସିରୁ ଓ ୫୪ ଜଣ ହୋମ କ୍ୱାରେଣ୍ଟାଇନରୁ ରହିଛନ୍ତି। ଏଥିରେ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ୩ଜଣ ପୁଲିସ୍ କର୍ମଚାରୀ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜଣେ ୪୭ ବର୍ଷିୟ ଡାଇବେଟିସ ରୋଗୀ ଏବଂ ୬୫ ବର୍ଷିୟ ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମୃତକମାନେ ସେମିଲିଗୁଡା ବ୍ଲକ୍ ଭେଜାପୁଟ ଓ ନନ୍ଦପୁର ବ୍ଲକ୍ ପାଡୁଆ ଗ୍ରାମର ବୋଲି ଜଣାପଡ଼ିଛି। ବର୍ତ୍ତମାନ କୋରାପୁଟ ଜିଲ୍ଲାରେ କରୋନାର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତଙ୍କ ସ୍ୱାବ୍ ପରୀକ୍ଷା କରାଯିବ ବୋଲି କୁହାଯାଇଛି । ଆସନ୍ତାକାଲି ଠାରୁ ଜିଲ୍ଲାରେ ଦୈନିକ ୧୮୦୦ ସ୍ୱାବ୍ ପରୀକ୍ଷା କରାଯିବ। ଅଗଷ୍ଟ ଶେଷସୁଦ୍ଧା ଦୈନିକ ୩୫୦୦ ସ୍ୱାବ୍ ଟେଷ୍ଟିଂ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି।