ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନକୁ ବିରୋଧ କରି ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ବନ୍ଦକୁ ଓଡ଼ିଶା ରାଜ୍ୟ କଂ‌ଗ୍ରେସ ମଧ୍ୟ ସମର୍ଥନ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇ କହିଛନ୍ତି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରଖିବାକୁ ସଂଗଠନମାନଙ୍କ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ ପୁଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। କେନ୍ଦ୍ରର ପବ୍ଲିକ ସେକ୍ଟରକୁ ଘରୋଇକରଣ ଯୋଜନା ଓ ନୂଆ ଶ୍ରମ ଓ କୃଷି ଆଇନ‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।