ଟିଟିଲାଗଡ଼,ଏନ୍ଏନ୍ଏସ୍: ଟିଟିଲାଗଡ଼ ଜିଲ୍ଲା ଦାବୀ ପ୍ରସଙ୍ଗକୁ ନେଇ ଆଜି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର କୋର ଗ୍ରୁପ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁଙ୍କୁ ତାଙ୍କ ବାସଭବନରେ ଦେଖା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ରାଜ୍ୟରେ ନୂତନ ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଥିବାବେଳେ ଟିଟିଲାଗଡ଼କୁ ମଧ୍ୟ ଜିଲ୍ଲା ମାନ୍ୟତା ତାଲିକା ରେ ରଖିବା ପାଇଁ କ୍ରିୟାନୁଷ୍ଠାନ କମିଟି ଦାୟିତ୍ୱ ପ୍ରଦାନ କରିଛି । ଟିଟଲାଗଡ଼ରେ ୮ଟି ରେଳ ଷ୍ଟେସନ, ୫ଟି ବ୍ଲକ, ୫ଟି ତହସିଲ ଅଫିସ,୧୧୨ଟି ଗ୍ରାମପଞ୍ଚାୟତ, ଗୋଟିଏ ମ୍ୟୁନିସିପାଲିଟି, ଗୋଟିଏ ଏନଏସି ଓ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହଛି । ରଞ୍ଜନ ଖୁଆସ ଟିଟିଲାଗଡ଼ରୁ ରାଜଧାନୀ ପର୍ଯ୍ୟନ୍ତ ପଦଯାତ୍ରା କରି ଦାବୀପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦, ୨୦୧୪ ଓ ୨୦୧୮ ମସିହାରେ ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏମିତିକି ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଭିନ୍ନ ସଭା ସମିତିରେ ବିଧାୟିକା ଟୁକୁନି ସାହୁ ମଧ୍ୟ ଅନେକ ସମୟରେ ଟିଟିଲାଗଡ଼କୁ ଆଗାମୀ ଦିନରେ ଜିଲ୍ଲା ମାନ୍ୟତା ମିଳିବା ନେଇ ପ୍ରତିଶ୍ରୁତି ଦେଇ ଆସୁଥିଲେ । ହେଲେ ଏବେ ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଟିଟିଲାଗଡ଼ ଜିଲ୍ଲା ଦାବୀକୁ ନେଇ ପୁଣି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ଆରମ୍ଭ କରିଛି ।
ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ଏକ ଟିମ ମନ୍ତ୍ରୀ ଟୁକୁନି ସାହୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବା ସହ ଜିଲ୍ଲା ଦାବୀ ସମ୍ପର୍କିତ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଛି । ଅନ୍ୟପଟେ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ମିଳିବା ଆଶା ଉଜ୍ଜୀବିତ ରହିଥିବା ନେଇ ମନ୍ତ୍ରୀ ଟୁକୁନି ସାହୁ କହିବା ସହ ଆଗାମୀ ଦିନରେ ରାଜ୍ୟରେ ୬ରୁ ୭ଟି ଜିଲ୍ଲା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଣୁ ଟିଟିଲାଗଡ଼ ମଧ୍ୟ ଜିଲ୍ଲା ମାନ୍ୟତା ତାଲିକାରେ ରହିବା ନେଇ ଆଶାବ୍ୟକ୍ତ କରିଛନ୍ତି । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଭବାନୀ ହୋତା, ପ୍ରେମ ଜୈନ, ଅରୁଣ ମିଶ୍ର, ସାଂସଦ ନମିନି ଆଲୋକ ନାୟକ, ଉପାଧ୍ୟକ୍ଷା ପୁଷ୍ପା ମଞ୍ଜରୀ ଜାଲ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଯାଦବ ନେତା ଘିନୁ ଆଡ଼ ଜୁଆରଡ଼ ଓ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।