ତିସ୍ ହଜାରୀ କୋର୍ଟ ପରିସର ରଣକ୍ଷେତ୍ର: ପୁଲିସ ଗାଡ଼ିରେ ନିଆଁ ଲଗାଇଲେ ଓକିଲ

ସୋମବାର ଧାରଣାରେ ବସିବ ଓକିଲ ସଂଘ

ନୂଆଦିଲ୍ଲୀ, ଏଜେନ୍ସି : ଶନିବାର ଅପରାହ୍ନରେ ପୁରୁଣା ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପରିସର ରଣକ୍ଷେତ୍ର ପାଲଟିଥିଲା। କୋର୍ଟ ପରିସରରେ ଠିଆ ହୋଇଥିବା ଗାଡ଼ିରେ ନିଆଁ ଲଗାଇ ଦିଆଯିବା ଫଳରେ ଘନକଳା ଧୂଆଁ ବାୟୁ ମଣ୍ଡଳରେ ମିଶି ପରିବେଶକୁ ବିଷାକ୍ତ ମୟ କରି ଦେଇଥିଲା। ପୁଲିସ ଗୁଳିରେ ଜଣେ ଓକିଲ ଆହତ ହୋଇ ସେଣ୍ଟ୍ ଷ୍ଟିଫେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ସାମ୍ବାଦିକ ମାଡ଼ ଖାଇଥିବାର ଜଣାପଡ଼ିଛି। ଓକିଲମାନେ ହାତ ଧରାଧରି ହୋଇ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋର୍ଟ ପରିସର ଭିତରକୁ ଛାଡ଼ି ନଥିଲେ। ଅପରପକ୍ଷେ ପୁଲିସ କୋର୍ଟ ପରିସରର ଅଧିକାଂଶ ଗେଟରେ ତାଲା ପକାଇ ଦେଇଥିଲା।

ପୁଲିସ ଗାଡ଼ି ପାର୍କିଂକୁ ନେଇ କିଛି ପୁଲିସ କର୍ମଚାରୀଙ୍କ ସହ ଜନୈକ ଓକିଲଙ୍କ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପୁଲିସ ସମ୍ପୃକ୍ତ ଓକିଲକୁ ଧରି ଥାନାକୁ ନେବାପାଇଁ ଉଦ୍ୟମ କରିବାରୁ କିଛି ଓକିଲ ତାକୁ ପ୍ରତିବାଦ କରିଥିଲେ। ଓକିଲଙ୍କ ମତରେ ପୁଲିସ ଗୁଳି ଚଳାଇବା ପାଇଁ ଧମକ ଦେବାରୁ ସେମାନେ ରାଗିଗଲେ। ଓକିଲମାନେ ମିଶି କୋର୍ଟ ପରିସରସ୍ଥିତ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୧୦ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଛି। ଜନୈକ ଓକିଲ ଧମକ ଦେଇଛନ୍ତି ଯେ ଆମକୁ କେହି ଖରାପ ବ୍ୟବହାର କଲେ, ଆମେ ଛାଡ଼ିବୁନି। ପୁଲିସ ମାଡ଼କୁ ପ୍ରତିବାଦ କରି ଓକିଲମାନେ ସୋମବାର ସବୁ ଜିଲ୍ଲା କୋର୍ଟ ଗୁଡ଼ିକରେ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି।