ଏବେ ବି ଅନ୍ଧ ବିଶ୍ୱାସରେ ବଞ୍ଚିଛନ୍ତି ଲୋକ, ମୃତକଙ୍କୁ ବଞ୍ଚାଇବା ପାଇଁ ଚାଲିଛି ଝଡ଼ାଫୁଙ୍କା

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ମୃତ ଘୋଷଣା କରିଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ପରିସିରରେ ବଞ୍ଚାଇ ଦେବ କହି ଜଣେ ଗୁଣିଆ ଝଡ଼ାଫୁଙ୍କା ତଥା ମନ୍ତ୍ର ଉଚ୍ଚାରଣ କରୁଥିବା ଦେଖିବାକୁ ମିଳିଛି। ପୁଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏଭଳି ଚାଲିଥିଲେ ମଧ୍ୟ ସମସ୍ତେ ନିରବ ଦ୍ରଷ୍ଟା ସାଜିଥିଲେ।

ସମାଜରେ ଆଜି ମଧ୍ୟ ଅନ୍ଧବିଶ୍ୱାସ କିଭଳି ଭାବେ କାୟା ବିସ୍ତାର ହେଉଛି ତାହା ଏହାକୁ ଦେଖିଲେ ଜାଣିହେବ। ସୂଚନା ଅନୁଯାୟୀ ସିନେ୍ଧକେଲା ଥାନା ଅନ୍ତର୍ଗତ ସିଲଣ୍ଡା ଗାଁର ପିଙ୍କୁ ନାଗ ନାମକ ଜଣେ ଯୁବକ ବିଲରେ କାମ କରୁଥିବା ବେଳେ ତାଙ୍କୁ ସାପ କାମୁଡି ଦେଇଥିଲା । ସାପ କାମୁଡିବା ପରେ ନିକଟରେ ଥିବା ଲୋକେ ଉଦ୍ଧାର କରି ଟିଟିଲାଗଡ ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ଜଣେ ଗୁଣିଆଙ୍କ ସହିତ ଯୋଗାଯୋଗ କରି ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ପଡି ରହିଥିବା ଶବ ଉପରେ ଗୁଣିଆ ଜଣଙ୍କ ବିଭିନ୍ନ ପ୍ରକାର ମନ୍ତ୍ରୋଚାରଣ କରିବା ସହିତ ଝଡାଫୁଙ୍କା କରିଥିଲେ ।

ଦୀର୍ଘ ସମୟ ଧରି ଡାକ୍ତରଖାନା ପରିସରରେ ଏଭଳି ଚାଲିଥିଲା । ଗୁଣିଆଙ୍କ ଝଡାପୁଙ୍କା ସମୟରେ ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ପୁଲିମ ଉପସ୍ଥିତ ଥିଲେ। ତେବେ ସେମାନେ ଏଭଳି ଘଟଣା ଉପରେ କୌଣସି ପ୍ରକାର ହସ୍ତକ୍ଷେପ ନକରି ଚୁପ ହୋଇ ଛିଡ଼ା ହୋଇଥିଲେ। ଦୀର୍ଘ ସମୟ ଧରି କସରତ କରିବା ପରେ ଗୁଣିଆ ଫେଲ ମାରିଥିଲେ। ବିଳମ୍ବ ହୋଇଯାଇଥିବାରୁ ଆଉ ବଞ୍ଚାଇ ହେଲାନାହିଁ ବୋଲି କହିଥିଲେ। ବିଭିନ୍ନ ସମୟରେ ଡାକ୍ତରଖାନାମାନଙ୍କରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଭଳି ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଏଡାଇବା ପାଇଁ ସଚେତନତା କରାଯାଉନଥିବା ଅଭିଯୋଗ କରିଛନ୍ତି ।