ବାଘ ଛାଲ ଜବତ, ୨ ଗିରଫ

ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ବନଖଣ୍ଡ ରିଆମାଳ ବନ ବିଭାଗ ଏକ ବାଘ ଛାଲ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପଳସମା ପଂଚାୟତ କୁଶଖଳିଆ ଗ୍ରାମର ପ୍ରହ୍ଲାଦ ପରିଡ଼ା(୫୫) ଓ ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ପଂଚାୟତ ସିମିଳିହତା ଗ୍ରାମର ପାଣ୍ଡବ ପ୍ରଧାନ (୪୦)।

ମିଳିଥିବା ରିପୋର୍ଟ ମୁତାବକ, ପଳସମା ଫରେଷ୍ଟ ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟ ଜଙ୍ଗଲ ମଧ୍ୟରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ନେଇ ବନ ବିଭାଗ ଖବର ପାଇଥିଲା। ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ, ରିଆମାଳ ରେଞ୍ଜର ମହେନ୍ଦ୍ର କୁମାର ସାହୁ, ପଳସମା ଫରେଷ୍ଟର ସୁବାଷ ଚନ୍ଦ୍ର ଦେହୁରୀ ସମେତ ସଦଳବଳେ ଜଙ୍ଗଲରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପ୍ରହ୍ଲାଦକୁ ଗିରଫ କରିବା ସହ ତା’ଠାରୁ ଏକ କଲରାପତ୍ରିଆ ବାଘ ଛାଲ ଜବତ କରିଥିଲେ। ଘଟଣାସ୍ଥଳରୁ ସିମିଳିହତା ଗ୍ରାମର ପାଣ୍ଡବ ଫେରାର ହୋଇ ଯାଇଥିଲେ। ସିମିଳିହତା ଗ୍ରାମକୁ ଯାଇ ପାଣ୍ଡବକୁ ଆଜି ମଧ୍ୟରାତ୍ରିରେ ଗିରଫ କରିଥିବା ନେଇ ବନ ବିଭାଗ ସୂଚନା ଦେଇଛି। ବାଘ ଛାଲଟି ୧୮୦ ସେମି ହୋଇଥିବାବେଳେ ଏହି ଘଟଣାରେ ଅଧିକ ପ୍ରମାଣ ପାଇଁ ତଦନ୍ତ ଚାଲିଥିବା ନେଇ ଜଣାପଡ଼ିଛି।