ସଇଁନ୍ତଳାରେ ବାଘ ବୁଲିବା ଘଟଣା: ବନ ବିଭାଗର ତନାଘନା

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଗୋଳାବାରୁଦ କାରଖାନାର ରାସ୍ତା କଡରେ ବାଘ ବୁଲୁଥିବା ନେଇ ନିତିଦିନରେ ଖବର ପ୍ରକାଶିତ ହେବା ପରେ ବନ ବିଭାଗ ତନାଘନା ଆରମ୍ଭ କରିଛି। ଡିଏଫଓ ରଶ୍ମି ନାଏକଙ୍କ କହିବା ଅନୁଯାୟୀ ଅନେକ ଥର ଏହି କାରଖାନା ନିକଟରେ ବାଘ ବୁଲୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ମାତ୍ର ବାଘଟି କେଉଁ ସ୍ଥାନରେ ବୁଲୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ପ୍ରମାଣିତ ହୋଇନାହିଁ। ତେବେ କାରଖାନା ଅଞ୍ଚଳରେ ବାଘ ବୁଲୁଥିବା ଫଟୋଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରୁ ଆମେ ଏକ ଟିମ ଗଠନ କରି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛୁ ବୋଲି ଶ୍ରୀ ନାଏକ କହିଛନ୍ତି। ତେବେ ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।