ଜୁଲାଇ ୧୧ରୁ ଆମେରିକାକୁ ଉଡିବ ବିମାନ, ଆଜିଠୁ ଟିକେଟ ବୁକିଂ ଆରମ୍ଭ

ନୂଆଦିଲ୍ଲୀ,ଏଜେନ୍ସି: ଜୁଲାଇ ୧୧ରୁ ଭାରତରୁ ଆମେରିକାକୁ ଉଡ଼ିବ ବିମାନ। ଏଥିପାଇଁ ଭାରତରେ ଆଜି ରାତି ୨ଟାରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ଜୁଲାଇ ୧୧ରୁ ୧୯ ଭିତରେ ଏୟାର ଇଣ୍ଡିଆ ୩୬ ଥର ଉଡ଼ାଣ ଭରିବ। ବନ୍ଦେ ଭାରତ ମିଶନ ଅଧୀନରେ ଏହି ବିମାନ ଆମେରିକାରୁ ଭାରତୀୟଙ୍କୁ ଆଣିବ।

ସେହିପରି ନ୍ୟୁୟର୍କ ସମୟ ଅନୁସାରେ ସକାଳ ୧୦ଟା ୩୦ରୁ ଟିକେଟ ବୁକିଂ କରିହେବ। ଆମେରିକାରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ବନ୍ଦେ ଭାରତ ମିଶନ ଅଧୀନରେ ୧୩୭ ଦେଶରୁ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶରୁ ପ୍ରାୟ ୫ ଲକ୍ଷ ଭାରତୀୟ ଦେଶକୁ ଫେରିଛନ୍ତି।