ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ବୁଧବାର ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଭିନ୍ନ ଭିନ୍ନ ୨ଟି ଏନ୍କାଉଣ୍ଟରରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୬ ଆତଙ୍କୀ ସଦସ୍ୟ ନିହତ ହୋଇଥିବା ବେଳେ ଜଣେ ପାକିସ୍ତାନୀ ନାଗରିକର ମୃତ୍ୟୁ ହୋଇଛି। ଜମ୍ମୁ କଶ୍ମୀର ପୋଲିସ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ଦକ୍ଷିଣ କଶ୍ମୀରର କୁଲଗାମ ଓ ଅନନ୍ତନାଗରେ ଏହି ଏନ୍କାଉଣ୍ଟର ହୋଇଥିବା ଜଣାଯାଇଛି।
ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ତଲାଶୀ ଅଭିଯାନ ସମୟରେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରକୁ ପ୍ରଥମେ ଗୁଳି କରିଥିଲେ। ସୁରକ୍ଷା ବାହିନୀର ଯବାନ ମାନେ ଏହାର କଡ଼ା ଜବାବ ଦେଇଥିଲେ। ଫଳରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଥିଲା। ଏହି ଏନ୍କାଉଣ୍ଟରରେ ୬ ଆତଙ୍କୀ ନିହତ ହୋଇଛନ୍ତି। କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି ଯେ, ନିହତ ହୋଇଥିବା ଆତଙ୍କବାଦୀ ମାନେ ହେଉଛନ୍ତି ଜୈଶ-ଏ-ମହମ୍ମଦ ସଦସ୍ୟ।