ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ପୁଣି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଭାଇରସ ସଂକ୍ରମିତ ସଂଖ୍ୟା ୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ଜଣେ ୨୩ ବର୍ଷିଅ ଯୁବକ, ୬୦ ବର୍ଷିଅ ବୃଦ୍ଧ ଓ ଜଣେ ୫୭ ବର୍ଷୀୟ ମହିଳା ଅଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ କୁହାଯାଇଛି ଯେ, ୨ ଜଣ ବ୍ୟକ୍ତି ପୂର୍ବରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।
ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ସମସ୍ତେ ସୁସ୍ଥ ହେବା ପରେ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସେମାନଙ୍କର ବୟସ କ୍ରମାଗତ ଭାବେ ୧୮, ୪୪ ଓ ୬୭। ସବୁଠାରୁ ବଡ଼ କଥା ହେଲା ଯେ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡ଼ଗୁଡ଼ଯୋର ଗ୍ରାମର ୪୪ ବର୍ଷିଅ ବ୍ୟକ୍ତି ସୁସ୍ଥ ହେବା ପରେ ରାଜ୍ୟବାସୀଙ୍କୁ ଏକ ଶୁଭ ଖବର ମିଳିଥିଲା। ଏଥି ସହିତ ସୁନ୍ଦରଗଡ଼ କରୋନା ମୁକ୍ତ ହୋଇଛି ବୋଲି ଚର୍ଚ୍ଚା ହୋଇଥିଲା। ତେବେ ମାତ୍ର ୮ ଘଣ୍ଟ ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼କୁ ପୁଣି କରୋନା ଫେରିଛି।
ଏଥିସହ ପ୍ରଥମରେ ଖୋର୍ଦ୍ଧା ଓ ଦ୍ଵିତୀୟରେ ଯାଜପୁର ଜିଲ୍ଲା ରହିଛି। ଯାଜପୁରରେ ୧୭ ଜଣ, ଭଦ୍ରକରେ ୧୬ ଜଣ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵରରେ ୨୩ ଚିକିତ୍ସାଧୀନ, ୨୨ ସୁସ୍ଥ, ଜଣେ ମୃତ ଥିବା ବେଳେ ଯାଜପୁର ଜିଲ୍ଲାରେ ୧୭ ଚିକିତ୍ସାଧୀନ, ଜଣେ ସୁସ୍ଥ। ସେହିପରି ଭଦ୍ରକ ଜିଲ୍ଲାରେ ୧୬ ଆକ୍ରାନ୍ତ ମଧ୍ୟରୁ ୧୪ ଚିକିତ୍ସାଧୀନ, ୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରେ ୧୦ ଜଣ, କେନ୍ଦ୍ରାପଡା ଓ କଳାହାଣ୍ଡି ଜିଲ୍ଲାରେ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି।
ରାଜ୍ୟର ଚିହ୍ନଟ ହୋଇଥିବା ମୋଟ ୧୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮ଜଣ ସକ୍ରିୟ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଛନ୍ତି ।