ଇନ୍ଦ୍ରାବତୀର ୩ ଗେଟ୍ ଖୋଲିଲା

ନବରଙ୍ଗପୁର,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧିପାଇବାରୁ ୩ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର କ୍ଷମତା ୬୪୨ ମିଟର ଥିବାବେଳେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳସ୍ତର ୬୪୧.୨୩ ମିଟରରେ ପହଞ୍ଚିଛି। ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୬୬୨.୨୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ୩ଟି ଗେଟ୍ ମଧ୍ୟଦେଇ ୮୧୬.୮୦୫ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ବୋଲି କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସାମନ୍ତ ଶେଖର ଧଳ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୋରାପୁଟ, ଛତିଶଗଡ଼ର ଜଗଦଳପୁର ଓ ଦାନ୍ତେୱାଡ଼ା ଜିଲ୍ଲାପାଳମାନଙ୍କୁ ଜଳ ନିଷ୍କାସନ କରିବା ଖବର ଜଣାଇଦିଆଯାଇଛି। ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତ୍ତିକ, ନନ୍ଦାହାଣ୍ଡି ବିଡିଓ କର୍ଣ୍ଣଦେବ ସମ୍ମାଦର, କୋଷାଗୁମୁଡ଼ା ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ପ୍ରଚାର ମାଧ୍ୟମରେ ତଳଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ଗୃହପାଳିତ ପଶୁ, କୃଷିକାର୍ୟ୍ୟ, ଗୋଚାଲାଣ ଆଦି କାର୍ୟ୍ୟକୁ ବାରଣ କରାଯାଇଥିବା ସୂଚନା ମିଳିଛି।

ସେହିଭଳି ଶୁକ୍ରବାର ସକାଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ମୁରାନପଟର ୪ନଂ ଗେଟ୍ ଖୋଲିବା ସମୟରେ ଶିଉଳି ଲାଗିଥିବାରୁ ସ୍ଲିପ୍ କରି ଯନ୍ତ୍ରୀ ସୋମନାଥ ମହାରଣାଙ୍କ ହାତରେ ଆଘାତ ଲାଗିଥିଲା। ଫଳରେ ସେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।