ପୁଣି ୩ ଅଧିକାରୀଙ୍କୁ ବିଦା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ ସରକାର ପୁଣି ୩ ଜଣ ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ୩ ଜଣ ଅଧିକାରୀ ଆଠଗଡ଼ ଡିଏଫଓ ସୁଧାଂଶୁ ସେଖର ମିଶ୍ର, ଅନୁଗୁଳ ରୁରାଲ ୱାର୍କସ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣ କୃଣ୍ଣ ପ୍ରସାଦ, ତୁଷୁରା ଆର ଆଣ୍ଡ ବି ଡିଭିଜନର ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଛନ୍ତି। ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବା ବେଳେ ସାରା ରାଜ୍ୟରେ ଦୁର୍ନୀତି ପ୍ରତି ସରକାର ଜିରୋ ଟଲରାନ୍ସ ମନୋଭାବ ପୋଷଣ କରୁଥିବ ବେଳେ ସରକାରଙ୍କ ଦୁର୍ନୀତି ଛାଟ ଅଧିକାରୀ ଓ କର୍ମଚାରୀ ମହଲରେ କୋକୁଆ ଭୟ ସୃଷ୍ଟି କଲାଣି। ଏପଟେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗରେ ଗାଦି ମାଡି ବସିଥିବା ଲାଞ୍ଚୁଆ ବାବୁଙ୍କ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

୨୦୧୬ରେ ଆଠଗଡ଼ ଡିଏଫଓ ଥିବା ବେଳେ ସୁଧାଂଶୁ ସେଖର ମଶ୍ର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢଉ କରିଥିଲା। ଭିଜିଲାନ୍ସ ଚଢଉ ବେଳେ ତାଙ୍କ ଘରୁ ୧ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା। ଏହାସହିତ ସେୟାର ଓ ବିଭିନ୍ନ ବ୍ୟାଙ୍କରେ ଜମା କରିଥିବା ୩ କୋଟି ୪୬ ଲକ୍ଷ ଟଙ୍କା ଜବଦ କରାଯାଇଥିଲା। ବନ ବିଭାଗର ଏହି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗିରଫ କରିବା ପରେ ଚାକିରିରୁ ନିଲମ୍ବିତ କରାଯାଇଥିଲା। ସେହିଭଳି ଅନୁଗୁଳ ରୁରାଲ ୱାର୍କସ ଡିଭିଜନର ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ୨ଟି ଭିଜିଲାନ୍ସ ମାମଲାରେ ଜଡ଼ିତ ଥିଲେ। ୨୦୧୫ ଓ ୨୦୧୮ମସିହାରେ ୨ଥର ଲାଞ୍ଚନେବା ଅଭିଯୋଗରେ ଧରାପଡ଼ିଥିଲେ। ସେହିଭଳି ତୁଷରା ରାସ୍ତା ଓ ବିଲ୍ଡିଂ ଡିଭିଜନର ଯନ୍ତ୍ରୀ ଉମେଶ ଚନ୍ଦ୍ର ତ୍ରିପାଠୀ ୪ଟି ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିଲେ। ନିଜ ସ୍ୱାର୍ଥ ପାଇଁ ନିଦ୍ଦିଷ୍ଟ କିଛି କଣ୍ଟ୍ରାଟରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା, ସରକାରୀ ଅର୍ଥର ଦୁରୁପଯୋଗ କରିବା ସହ ସରକାରୀ ଜମି ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ରାଡାରକୁ ଆସିଥିଲେ। ଏପରି ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟସରକାର ସେମାନଙ୍କୁ ଚାକୀରୀରୁ ବରଖାସ୍ତ କରିଛନ୍ତି।