ପର୍ଯ୍ୟଟକଙ୍କ ପାଇଁ ସଂଗ୍ରହାଳୟରେ ରଖାଯିବ ଚଳିତ ବର୍ଷର ୩ ରଥ

ପୁରୀ,ଏନ୍ଏନ୍ଏସ୍: ଶ୍ରୀଜଗନ୍ନାଥ ବଲ୍ଳଭ ମଠ ସଂଗ୍ରହାଳୟରେ ରଖାଯିବ ତିନିରଥ। ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ଖୁବଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବା ସହ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଜଗନ୍ନାଥ ବଲ୍ଲଭ ମଠରେ ସଂଗ୍ରହାଳୟ ପାଇଁ ପ୍ଲାନ ଅନୁମୋଦନ ହୋଇସାରିଥିବା ସେ ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳେ ନଷ୍ଟ ହେଉଥିବା କାଠଗୁଡିକୁ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି।

ପ୍ରତ୍ୟେକ ବର୍ଷ ରଥଯାତ୍ରା ଶେଷହେବା ପରେ ରଥଗୁଡିକୁ ଭଙ୍ଗାଯାଇ ମହାପ୍ରସାଦ ପ୍ରସ୍ତୁତିରେ ଜାଳେଣି ଭାବେ ବ୍ୟବହାର କରାଯାଏ। ମାତ୍ର ଚଳିତବର୍ଷ ରଥଗୁଡିକୁ ଭଙ୍ଗାନଯାଇ ସଂରକ୍ଷଣ କରିବାକୁ ମନ୍ଦିର ପ୍ରଶାସନ ସ୍ଥିର କରିଛି। ମହାରଣା ସେବକଙ୍କ ସହ ବୁଧବାର ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବର୍ଷ ତମାମ ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନେ ଦାରୁବ୍ରହ୍ମଙ୍କ ତିନିରଥ ଦେଖିବାର ସୁଯୋଗ ପାଇପାରିବେ। ତେବେ ଏହା ମନ୍ଦିର ପ୍ରଶାସନରେ ଆଉ ଏକ ନୂଆ ଇତିହାସ ସୃଷ୍ଟିକରିବ।