ନବରଙ୍ଗପୁର,ଏନ୍ଏନ୍ଏସ୍: ନଗର ବିଜେଡି କାର୍ଯ୍ୟକାରିଣୀ ଅବସରରେ ବିଜେପି ଓ କଂଗ୍ରେସ ଦଳର ଶତାଧିକ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଏଥିରେ ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଓ ଉଠା ଜଳସେଚନ ରାଜ୍ୟ ଉପଦେଷ୍ଟା ପ୍ରମୋଦ ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ନବରଙ୍ଗପୁର ନଗର ବିଜେଡି ସଭାପତି ପ୍ରମୋଦ ରଥଙ୍କ ସଭାପତିତ୍ୱରେ ଯୁବ ବିଜେଡି କୋରାପୁଟ ଜୋନ ସଭାପତି ତାପସ ତ୍ରିପାଠୀ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା, ରାଜ୍ୟ ସମ୍ପାଦକ ସୁମିତ ପୂଜାରୀ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, ନାରୀନେତ୍ରୀ କୌଶଲ୍ୟା ପ୍ରଧାନୀ, ବିଜେଡି ନେତା ରବି ପଟ୍ଟନାୟକ, ଆଇନଜୀବୀ ସନ୍ତୋଷ କୁମାର ମିଶ୍ର ଓ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନଗର ବିଜେଡି କମିଟିର ଅନେକ ପଦ ପଦବୀ ପାଇଁ ସଦସ୍ୟଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କିଭଳି ଦଳକୁ ଅଧିକରୁ ଅଧିକ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ ଏବଂ ନିଜ ନିଜ ମତପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରାଯାଇଥିବାବେଳେ ରାଜ୍ୟର ବିକାଶ ପାଇଁ ଅନେକ ଯୋଜନା କରାଯାଇଛି । ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ନେଇ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିବା ଓ ଲୋକଙ୍କୁ ସଚେତନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଗତ ମ୍ୟୁନିସିପାଲିଟି ନିର୍ବାଚନରେ ସର୍ବାଧିକ କାଉନସିଲର ପଦ ବିଜେଡି ହାତକୁ ଯାଇଥିବାବେଳେ ବିଜେପି ହାତକୁ ଅଧ୍ୟକ୍ଷ ପଦ ଯାଇଥିବାରୁ ପୁଣି କିଭଳି ନିଜ ପ୍ରତିଷ୍ଠାକୁ ନବରଙ୍ଗପୁର ନଗରରେ ଫେରି ପାଇବ ସେନେଇ ବିଜେଡି ପ୍ରୟାସ ଆରମ୍ଭ କରିବ ବୋଲି ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।