ଓଡ଼ିଶାକୁ ଡାଇବେଟିସ ଚିନ୍ତା: ୪୦ ଲକ୍ଷ ରୋଗୀଙ୍କ ପାଇଁ ମାତ୍ର ହଜାରେ ଡାକ୍ତର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍ଥାନୀୟ ଏକ ହୋଟେଲଠାରେ ଆରମ୍ଭ ହୋଇଛି ଦୁଇଦିନିଆ ୬ଷ୍ଠ ଜାତୀୟ ଡାଇବେଟିସ୍ ସମ୍ମଳନୀ। ଡାଇବେଟିସ ରୋଗରୁ ରକ୍ଷା ପାଇବାର ଏକମାତ୍ର ସରଳ ଉପାୟ ହେଉଛି ପୂର୍ବ ସଚେତନତା। ଜନସାଧାରଣ ପୂର୍ବ ସଚେତନତା ଓ ନିୟମିତ ବ୍ୟାୟମ କରିବା ଦରକାର। ଡାଇବେଟିସ୍ ଦ୍ୱାରା ହେଉଥିବା ସ୍ନାୟୁ, ହାର୍ଟ, କିଡ୍ନୀ ଓ ପାଦ ସମସ୍ୟା ଭଳି ରୋଗର ସଫଳ ଚିକିତ୍ସାର ନୂଆ ପଦ୍ଧତି ଉପରେ ଆଲୋଚନା ହେଇଥିଲା। ଡାଇବେଟିସ୍ ଚିକିତ୍ସାର ନୂଆ ଚିକିତ୍ସା ଯନ୍ତ୍ରପାତି, ନୂତନ ମେଡିସିନ୍, ନୂତନ ଇନ୍ସୁଲିନ୍ ଓ ନୂତନ ପରୀକ୍ଷା ଉପରେ ବିଶେଷଜ୍ଞମାନେ କହିଥିଲେ।

ଡାଇବେଟିସ୍ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାର କିଡ୍ସ ଅନୁଷ୍ଠାନ ଭାରତରେ ବିରଳ। ଏହି ଅନୁଷ୍ଠାନ ସହିତ ସରକାର ସହଯୋଗର ହାତ ବଢ଼ାଇବା ଦରକାର। ଓଡ଼ିଶାରେ ଡାଇବେଟିସ୍ ଗବେଷଣାକୁ କିଡ୍ସ ଜରିଆରେ ଅନ୍ୟ ଡାକ୍ତରଙ୍କ ଟ୍ରେନିଂ ବ୍ୟବସ୍ଥା କରିବାର ଆବଶ୍ୟକତାର ରହିଛି। ଫଳରେ ଓଡ଼ିଶାର ଡାଇବେଟିସ୍ ରୋଗୀ ଉପକୃତ ହୋଇପାରିବେ। ଓଡ଼ିଶାରେ ୪୦ଲକ୍ଷ ଡାଇବେଟିସ୍ ରୋଗୀ ଅଛନ୍ତି। ସହରାଞ୍ଚଳରେ ୧୨ରୁ ୧୫ ପ୍ରତିଶତ, ଗ୍ରାମାଞ୍ଚଳରେ ୬ରୁ ୮ ପ୍ରତିଶତ ଓ ଶିଳ୍ପାଞ୍ଚଳରେ ୮ରୁ ୧୦ ପ୍ରତିଶତ ରହିଛି। ଓଡ଼ିଶାରେ ଡାଇବେଟିସ୍ ରୋଗୀଙ୍କ ମୁଖ୍ୟ ସମସ୍ୟା ହେଉଛି ପାଦଜନିତ ରୋଗ। ଏହି ପାଦଜନିତ ରୋଗ ପାଇଁ ବହୁ ଲୋକଙ୍କ ଗୋଡ଼ କଟା ହେବାକୁ ପଡ଼ୁଛି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

ଡାଇବେଟିସ୍ ରୋଗର ଅନ୍ୟ ଏକ କାରଣ ହେଉଛି ଫାଷ୍ଟଫୁଡ୍ ଖାଦ୍ୟ ଖାଇବା। ଏହାର ମୁଖ୍ୟ କାରଣ ହେଉଛି ଏହି ଖାଦ୍ୟରେ ଖରାପ ତେଲ ବ୍ୟବହାର କରାଯାଉଛି। ଜଣେ ଲୋକ ମାସକୁ ୫ଶହ ମିଲିଲିଟରରୁ ଅଧିକା ତେଲ ଖାଇବା କଥା ନୁହେଁ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ସମାଜରେ ବର୍ତ୍ତମାନ ଏକ ଭ୍ରାନ୍ତ ଧାରଣା ରହିଛି କଲରା ଓ ମେଥି ଆଦି ଖାଇଲେ ଡାଇବେଟିସ୍ ରୋଗ ଭଲ ହୋଇଯିବ। ଏହା ସମ୍ପୃର୍ଣ୍ଣ ରୂପେ ଭୁଲ ଧାରଣା। ଏହି ସବୁ ଜିନିଷ ଖାଇ ଡାଇବେଟିସ୍ର ଚିକିତ୍ସା ହୋଇପାରିବ ନାହିଁ।

ଓଡ଼ିଶାରେ ଡାଇବେଟିସ୍ ରୋଗର ଚିକିତ୍ସା କ୍ଷେତ୍ରରେ ବଡ଼ ସମସ୍ୟା ରହିଛି। ୪୦ଲକ୍ଷ ଡାଇବେଟିସ୍ ରୋଗୀଙ୍କୁ ଚିକିତ୍ସା କରିବା ସମ୍ଭବ ନୁହେଁ। ଓଡ଼ିଶାରେ ପର୍ଯ୍ୟାପ୍ତ ମାତ୍ରାରେ ଡାଇବେଟିସ୍ ଡାକ୍ତର ନାହାନ୍ତି। ଏତେ ରୋଗୀଙ୍କ ପାଇଁ ବର୍ଷକୁ ଦେଢ଼ କୋଟି ଲୋକଙ୍କ ପ୍ରେସସ୍କ୍ରିସନ୍ ଲୋଖିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ଡାଇବେଟିସ୍ ଡାକ୍ତର ୧ହଜାରରୁ କମ୍ ଅଛନ୍ତି। ତେଣୁ ସେମାନେ ପ୍ରାୟ ବର୍ଷକୁ ୧୦ଲକ୍ଷ ଭିତରେ ପ୍ରେସସ୍କ୍ରିସନ୍ ଦେଖୁଛନ୍ତି। ଏପରି କ୍ଷେତ୍ରରେ ସରକାରଙ୍କ ବଡ଼ ଦାୟିତ୍ୱ ହେଉଛି ଓଡ଼ିଶାରେ ଏମବିବିଏସ୍ ଓ ଜୁନିୟର ଡାକ୍ତରଙ୍କୁ ଡାଇବେଟିସ୍ ଉପରେ ଟ୍ରେନିଂ ପ୍ରଦାନର ବ୍ୟବସ୍ଥା କରନ୍ତୁ ବୋଲି ଡାକ୍ତର ଆଲୋକ କାନୁନ୍ଗୋ କହିଥିଲେ। ଦେଶ ବିଦେଶରୁ ୫ଶହ ଡାକ୍ତର ଓ ପ୍ରଫେସର ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ଡାଇବେଟିସ୍ ଉପରେ ନୂଆ ଧରଣର ଚିକିତ୍ସା ଉପରେ ଆଲୋଚନା ହୋଇଛି।

ଏହି ସମ୍ମିଳନୀରେ ଡାଇବେଟିସ୍ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବିଶେଷଜ୍ଞଙ୍କୁ ୫ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ବିନୋଦ କାନୁନ୍ଗୋ ମେମୋରିଆଲ ଗୋଲ୍ଡ ମେଡାଲ, ଶଶିବାଳା କାନୁନ୍ଗୋ ମେମୋରିଆଲ ଗୋଲ୍ଡ ମେଡାଲ, ପ୍ରଫେସର ବିବି ତ୍ରିପାଠୀ ମେମୋରିଆଲ ଗୋଲ୍ଡ ମେଡାଲ ଓ ଡାକ୍ତର କେସି ସାମଲ ମେମୋରିଆଲ ଗୋଲ୍ଡ ମେଡାଲ ପ୍ରଦାନ କରାଯାଇଛି। ଏ ବର୍ଷ ପାଇଁ ପ୍ରଫେସର ସିବି ସଞ୍ଜୀବୀ ତାଙ୍କ ଜୀବନବ୍ୟାପି ସାଧନ ପାଇଁ ସମ୍ମାନୀତ କରାଯାଇଛି। ଏକେ ସିଂହଙ୍କ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର ହର ପ୍ରସାଦ ଦାଶ, ପ୍ରଫେସର ସିବି ସଞ୍ଜୀବୀ, ଡାକ୍ତର ବିବି ତ୍ରିପାଠୀ, ପ୍ରସେଫର କେସି ସାମଲ ଓ ଡାକ୍ତର ମମତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।