ଟିକା ନେଇ ନଥିବା ବ୍ୟକ୍ତିଙ୍କୁ ଖୋଜି ଟିକା ଦିଆଯିବ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନାକୁ ପ୍ରତିହତ କରିବାରେ ଟିକା ହେଉଛି ଅମୋଘ ଅସ୍ତ୍ର। କରୋନା ଟିକା ନେବାରୁ କେହି ଯେପରି ବଞ୍ଚିତ ନହୁଅନ୍ତି, ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ କରାଯାଇଛି। ମଙ୍ଗଳବାର ଠାରୁ କୋଭିଡ୍ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆଶାକର୍ମୀ ଗାଁ ଗାଁରେ କୋଭିଡ୍ ଟିକା ନେଇ ନ ଥିବା ବ୍ୟକ୍ତିଙ୍କୁ ଖୋଜିବେ। ଏହାପରେ ଟିକା ନେଇ ନଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରକାଶ ପାଇବ।

ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି। ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ରାଜ୍ୟରେ ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ କାର୍ଯ୍ୟ ସରିବ ବୋଲି କହିଛନ୍ତି। ଏହାଛଡ଼ା ଏଣିକି ଯେଉଁ ଗାଁର ଲୋକସଂଖ୍ୟା ଅଧିକ ରହିଛି, ସେଠାରେ ଟିକାକରଣ କେନ୍ଦ୍ରର ସଂଖ୍ୟା ବଢ଼ାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଆଜି ୨ଲକ୍ଷ ୯୩ ହଜାର ୧୯୦ ହିତାଧିକାରୀ ଟିକା ନେଇଛନ୍ତି। ଫଳରେ ରାଜ୍ୟରେ ମୋଟ ଟିକାକରଣ ସଂଖ୍ୟା ୩ କୋଟି ୭୫ଲକ୍ଷ ୫୭ ହଜାର ୧୫୭ରେ ପହଞ୍ଚିଛି।