ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ ମହାମାରୀ ଭିତରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ଲୋକଙ୍କ ଠାରୁ ନେଇ ଚାଷୀ ସମସ୍ତ ବର୍ଗଙ୍କ ପାଇଁ ବଜେଟ୍ ଆଣିଛନ୍ତି ସରକାର। ଏହି ବଜେଟ ଦ୍ବାରା ଦେଶର ବେରୋଜଗାରୀ, ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ବଜେଟକୁ ନେଇ ଦେଶବାସୀଙ୍କ ମନରେ ନୂଆ ଆଶା ସଂଞ୍ଚାର ହୋଇଛି। ତେଣୁ ଏହାକୁ ଲୋକାଭିମୁଖୀ ଏବଂ ବିକାଶଶୀଳ ବଜେଟ୍ କହିବା ସହ ଏହା ଏକ ଆଧୁନିକ ଭାରତ ଗଠନରେ ପଦକ୍ଷେପ ବୋଲି ଅତ୍ମନିର୍ଭର ଅର୍ଥବ୍ୟବସ୍ଥା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ।
ସୀମାରେ ଥିବା ଗାଁ ଗୁଡିକର ବିକାଶ ଉପରେ ବଜେଟରେ ଧ୍ୟାନ ଦିଆଯାଇଛି। ବଜେଟରେ ଜୈବିକ ଚାଷ ଉପରେ ଧ୍ୟାନ ଦେଇ ଭାରତୀୟ କୃଷିକୁ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହା ଦ୍ବାରା ଚାଷୀ ଅଧିକ ଲାଭବାନ ହେବେ। କିସାନ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଚାଷୀଙ୍କ ପାଇଁ ଉଚିତ ମୂଲ୍ୟରେ ଉପଲବ୍ଧ ହେବ ବୋଲି କହିଛନ୍ତି ମୋଦୀ।
ସେ ଆହୁରି ଉପସ୍ଥାପିତ ବଜେଟକୁ ପ୍ରଶଂସା କରିଛନ୍ତି। ୭ ବର୍ଷ ପୂର୍ବରୁ ଭାରତର ଜିଡିପି ୧ ଲକ୍ଷ ୧୦ ହଜାର କୋଟି ଥିଲା କିନ୍ତୁ ଆଜି ଏହା ପାଖାପାଖି ୨ ଲକ୍ଷ ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏପରିକି ଦେଶର ଫୋରେକ୍ସ ୨୦୦ ବିଲିୟନ ଡ଼ଲାରରୁ ୬୩୦ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ଏହା କେବଳ ସରକାରୀ ପ୍ରଭାବଶାଳୀ ନୀତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ମୋଦୀ।
ଏକ ଆତ୍ମନିର୍ଭରଶୀଳ ଏବଂ ଆଧୁନିକ ଭାରତ ତିଆରି କରିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଭାରତକୁ ଆଧୁନିକତା ଦିଗ ଓ ପ୍ରଗତି ପଥରେ ଗତିଶୀଳ କରିବା ପାଇଁ ଆଗକୁ ନେବା ପାଇଁ ଏହି ବଜେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ରହିଛି। ଭାରତ ପ୍ରତି ବିଶ୍ବର ପରିବର୍ତ୍ତିତ ଦୃଷ୍ଟିକୋଣ ସହିତ ଆମ ଅର୍ଥନୀତିକୁ ସୃଦୁଢ କରି ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା ଆମ ପାଇଁ ଜରୁରୀ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ବ୍ୟାପକତାକୁ ଦୃଷ୍ଟିରେ ରଖି ବଜେଟକୁ ଠିକ୍ ସମୟରେ ଉପସ୍ଥାପନା କରିଥିବା କହିଛନ୍ତି ମୋଦୀ।