ପଟନା,ଏଜେନ୍ସି: ବିହାର ବିଧାନସଭା ନିର୍ବାଚନର ତୃତୀୟ ଓ ଶେଷ ଚରଣ ନିର୍ବାଚନ ପ୍ରଚାରର ଆଜି ଥିଲା ଅନ୍ତିମ ଦିନ। ଏହି ଅବସରରେ ଧମଦାହାରେ ନିଜର ଶେଷ ରାଲିକୁ ସମ୍ବୋଧିତ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ନୀତିଶ କହିଛନ୍ତି ଯେ, ‘ଏହି ନିର୍ବାଚନ ମୋର ଅନ୍ତିମ ନିର୍ବାଚନ। ଯଦି ଅନ୍ତ ଭଲ ହୁଏ ତେବେ ସବୁକିଛି ଭଲ ହେବ ।’
ଏନଡିଏ ମହାମେଣ୍ଟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଗତ ୧୫ ବର୍ଷ ହେବ ସେ ରାଜ୍ୟର ଶାସନଭାର ସମ୍ଭାଳୁଛନ୍ତି। ଆଉ ନୀତିଶ କୁମାର ଲଗାତାର ଭାବେ ଚତୁର୍ଥଥର ପାଇଁ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହେବାର ପ୍ରୟାସ ଜାରି ରଖିଛନ୍ତି। ନିଜର ଲମ୍ବା କାର୍ଯ୍ୟକାଳ ସତ୍ୱେ ଆଉ ଥରେ ସୁଯୋଗ ମିଳିଲେ ବାକି ରହିଥିବା ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ କରିବେ ବୋଲି ସଭାରେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ବିହାରର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ ତାରିଖରେ ୧୫ଟି ଜିଲ୍ଲାର ୭୮ଟି ସିଟରେ ମତଦାନ ହେବ। ସେଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁପ୍ରକାର ରଣକୌଶଳ ଆପଣାଇଛନ୍ତି।