ନୂଆଦିଲ୍ଲୀ,ଏଜେନ୍ସି: ଓମିକ୍ରନ୍ର ଆବିର୍ଭାବ ସତ୍ତ୍ୱେ ଦେଶରେ ଯଦି ଆବଶ୍ୟକ ସତର୍କତା ଅବଲମ୍ବନ କରାନଯାଏ, ତେବେ କୋଭିଡ୍ର ତୃତୀୟ ଲହର ଅତ୍ୟନ୍ତ ଭୟଙ୍କର ସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଚେତାବନୀ ଦିଆଯାଇଛି। ମଙ୍ଗଳବାର ସୁଦ୍ଧା ଭାରତରେ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବ ଅଭିଜ୍ଞତା ଓ ବୈଜ୍ଞାନିକ ସୂଚନାକୁ ଆଧାର କରି ଏହା ଅନୁମାନ କରାଯାଉଛି ଯେ ଓମିକ୍ରନ୍ ଭାରିଆଣ୍ଟ୍ ଦ୍ରୁତଗତିରେ ସଂକ୍ରମିତ ହେବ। ଏଥିଯୋଗୁଁ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହୋଇପଡିବେ ବୋଲି ଆଇଏମଏ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି।
ବର୍ତ୍ତମାନ ଦେଶ କୋଭିଡ୍ କବଳରୁ ଆସ୍ତେ ଆସ୍ତେ ମୁକୁଳିବାକୁ ଯାଉଛି। ତେଣୁ କୋହଳ ମନୋବୃତ୍ତି ପୋଷଣ କରିବା ସହ କୋଭିଡ୍ କଟକଣାକୁ ଅଣଦେଖା କଲେ, ତୃତୀୟ ଲହର ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ୧୨ରୁ ୧୮ ବର୍ଷ ବୟସ ପିଲାଙ୍କୁ କୋଭିଡ୍ ଟିକା ଦେବାକୁ ସରକାର ତତ୍ପର ହୁଅନ୍ତୁ ବୋଲି ଆଇଏମଏ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାବ୍ୟତୀତ ଡବଲ ଡୋଜ୍ ନେଇସାରିଥିବା ବ୍ୟକ୍ତିଙ୍କ ପାଇଁ ବୁଷ୍ଟର ଡୋଜ୍ ବ୍ୟବସ୍ଥା କରିବାକୁୁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଗତମାସରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ଏହା ପ୍ରାୟ ୪୦ଟି ରାଷ୍ଟ୍ରକୁ ବ୍ୟାପିସାରିଛି। ଏହା ଏକ ଚିନ୍ତାଜନକ ଭାରିଆଣ୍ଟ୍ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିସାରିଛି। ତେଣୁ ପ୍ରତ୍ୟେକ ଭାରତୀୟ କୋଭିଡ୍ କଟକଣା ମାନିବା ଉଚିତ ବୋଲି ଆଇଏମଏ ପକ୍ଷରୁ କୁହାଯାଇଛି।