ପୁରୀରେ ପୁଣି ଥାର୍ଡ ଡିଗ୍ରୀ, ଗିରଫ ଅଭିଯୁକ୍ତକୁ ନିସ୍ତୁକ ପିଟିଲା ପୁଲିସ

ପୁରୀ, ଏନ୍ଏନ୍ଏସ୍: ପୁରୀ ଜିଲ୍ଲାରେ ନିକଟରେ ହାଜତରେ ମୃତ୍ୟୁ ମାମଲାକୁ ନେଇ ପୁଲିସ ବିବାଦ ଘେରକୁ ଆସିଥିବାବେଳେ ଆଉ ଏକ ଥାର୍ଡ ଡିଗ୍ରୀ ଅଭିଯୋଗ ସାମ୍ନାକୁ ଆସିଛି । ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ପୁଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗୁରୁବାର ଟାଉନ୍ ଥାନା ଅଧୀନ ଚୁଡଙ୍ଗ ସାହିର ମହେନ୍ଦ୍ର ସାହୁ (୩୫) ଓ ତାଙ୍କ ଭାଇ ରାଜେନ୍ଦ୍ର ସାହୁ (୩୦) ବ୍ରାଉନସୁଗାର ମାମଲାରେ ଗିରଫ ହୋଇଥିଲେ। ସେମାନଙ୍କ ନିକଟରୁ ୩୦୦ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିଲା। ୧୯ ତାରିଖ ସନ୍ଧ୍ୟାରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଥିଲା। ଜିଲ୍ଲା ଜଜଙ୍କ ନିକଟରେ ପୁଟଅପ୍ ହେବାବେଳେ ଏହି ଦୁଇ ଭାଇ ପୁଲିସର ଥାର୍ଡ ଡିଗ୍ରୀ ସମ୍ପର୍କରେ ଅଦାଲତଙ୍କ ନିକଟରେ କହିଥିଲେ । ଏପରିକି ଡାକ୍ତର ଚିକିତ୍ସାଗତ କାଗଜପତ୍ରରେ ସୁସ୍ଥ ଥିବା ଦର୍ଶାଇଛନ୍ତି। ଫଳରେ ଟାଉନ୍ ଥାନା ଆଇଆଇସି ଓ ମାମଲାର ଆଇଓଙ୍କ ଉପରେ ଅଦାଲତ ବିରକ୍ତି ପ୍ରକାଶ କରିଥିବାବେଳେ ଡାକ୍ତର, ଭାରପ୍ରାପ୍ତ ଅଧିକାରୀ ଏବଂ ଆଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେପଟେ ଅଭିଯୁକ୍ତଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ, ଏହି ଦୁଇ ଭାଇଙ୍କୁ ପୁଲିସ ଦୀପାବଳି ଠାରୁ ଉଠାଇ ନେଇଛି।