ଯାହା ଘଟିଗଲା ତାହା ଏକ ଦୁଃସ୍ୱପ୍ନ ଥିଲା, ପୁରା ପରିବାର ଏକତ୍ରିତ ହୋଇ ସାଥୀରେ ଚାଲିବ: ମୁଖ୍ୟମନ୍ତ୍ରୀ ଗେହଲଟ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଗତ କିଛିଦିନ ମଧ୍ୟରେ ହୋଇଥିବା ରାଜନୈତିକ ମତାନ୍ତରକୁ ଏକ ଦୁଃସ୍ୱପ୍ନ କହି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳର ବିଧାୟକଙ୍କୁ ଏସବୁକୁ ଭୁଲିଯିବା ପାଇଁ କହିଛନ୍ତି। ଏଥିସହିତ କଂଗ୍ରେସ ବିଧାନସଭାରେ ଆସ୍ଥା ଭୋଟ ଆଣି ତା’ର ଶକ୍ତି ପଦର୍ଶନ କରିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ନିବାସରେ ହୋଇଥିବା ଦଳୀୟ ବୈଠକକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିବାବେଳେ ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଓ ବିଦ୍ରୋହ ମନୋଭାବ ଦେଖାଇଥିବା ୧୮ ଅନ୍ୟ ବିଧାୟକ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଗେହଲଟ ଆହୁରି କହିଛନ୍ତି କି, ‘ଯେଉଁ ପାର୍ଟିରେ ତ୍ୟାଗ ଓ ବଳିଦାନ ରହିଛି ସେହି ପାର୍ଟିର ଜଣେ ସିପାହୀ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛିି। ତେଣୁ ଯେଉଁ ସବୁ କଥା ହୋଇଯାଇଛି ତାକୁ ଭୁଲି ଆମ ସମସ୍ତଙ୍କୁ ଏକତ୍ରିତ ହାଇ ଆଗକୁ ବଢ଼ିବାକୁ ପଡ଼ିବ।’ ଆଉ ଯଦି ତାଙ୍କୁ ନେଇ କାହାରି କୌଣସି ସମସ୍ୟା ଥାଏ ତେବେ ସେ ତା’କୁ ଦୂର କରିବାକୁ ଚେଷ୍ଟା କରିବେ। ଏଥିସହିତ କଂଗ୍ରେସର ଏକଜୁଟତାକୁ କେହି ବି ଦୋହଲାଇ ପାରିବ ନାହିଁ ବୋଲି ଆମକୁ ବିଧାନସଭାରେ ଦେଖାଇବାକୁ ପଡ଼ିବ। ପରସ୍ପର ମଧ୍ୟରେ ଥିବା ମତାନ୍ତରକୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଗେହଲଟ କହିଛନ୍ତି।