ଟିମ ସ୍ପିରିଟରେ କାମ କଲେ କୌଣସି ଅସୁବିଧା ହୁଏନି: ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରା ପ୍ରମୋସନ ପାଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଭାବେ ବଦଳି ହୋଇଛନ୍ତି । ବନ ବିଭାଗ ପକ୍ଷରୁ ଚରକ ବନ ପରିସରରେ ଭାବବିହ୍ୱଳ ପରିବେଶ ମଧ୍ୟରେ ଶ୍ରୀ ବେହେରାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହ ମାଲକାନାଗିରି ଡିଏଫଓ ତଥା ନବରଙ୍ଗପୁର ଅତିରିକ୍ତ ଡିଏଫଓ ପ୍ରତାପ କୋଟାପାଲିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବେହେରା ଯୋଗଦେଇ ଟିମ ସ୍ପିରିଟ ରଖି କାମ କଲେ କୌଣସି ଅସୁବିଧା ହୁଏ ନାହିଁ ବୋଲି କହିଥିଲେ । ଯାହାଙ୍କଠାରୁ ଚାର୍ଜ ନେଇ ଡିଏଫଓ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲି ତାଙ୍କୁ ପୁଣି ଚାର୍ଜ ଦେଇ ଯାଉଥିବା ଶ୍ରୀ ବେହେରା ପ୍ରକାଶ କରିଥିଲେ । ପ୍ରଥମେ ରାଜ କାର୍ଯ୍ୟ ତା’ପରେ ନିଜ କାର୍ଯ୍ୟ କର ବୋଲି କହିବା ସହ ରିପୋର୍ଟ, ରିଟର୍ଣ୍ଣ ଓ ଆକାଉଣ୍ଟ ଉପରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ବେହେରା ଅଧିକ ଗୁରୁତ୍ୱାରୋପ କରିଥିଲେ । ଡାବୁଗାଁ ରେଞ୍ଜର ସେତୁରଞ୍ଜନୀ ଗମାଙ୍ଗୋ କୋହଭରା କଣ୍ଠରେ ବକ୍ତବ୍ୟ ପ୍ରଦାନ କରିଥିଲେ । ୧୯ ମାସ ନବରଙ୍ଗପୁର ଜିଲ୍ଲାରେ ରହଣୀ ମଧ୍ୟରେ ଶ୍ରୀ ବେହେରା ୧୮ ଲକ୍ଷ ୭୩ ହଜାର ଚାରା ରୋପଣ କରି ଜିଲ୍ଲାକୁ ସବୁଜମୟ କରିଛନ୍ତି । ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ରଙ୍କ ସଂଯୋଜନାରେ ଭାରପ୍ରାପ୍ତ ଡିଏଫଓ ପ୍ରତାପ କୋଟାପାଲି,ଏଡିଭିଓ ଡା. ସୁନିଲ ପ୍ରଧାନ ଓ ସହକାରୀ ବନ ସଂରକ୍ଷକ ମନସୁନ ଖେମୁଣ୍ଡୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ରେଞ୍ଜର ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ନବରଙ୍ଗପୁର ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।