ମିଠାରେ ନିଶା ଔଷଧ ମିଶାଇ, ସିସି ଟିଭି ସଂଯୋଗ କାଟି କଳା କନା ବୁଲାଇଲେ ଭଡ଼ାଟିଆ

ମାଲକାନଗିରି,ଏନ୍ଏନ୍ଏସ୍: ମିଠାରେ ନିଶା ଔଷଧ ମିଶାଇ କଳା କନା ବୁଲାଇଲେ ଭଡ଼ାଟିଆ। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ବଣ୍ଡାବାକଲିଗୁଡ଼ା ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଗହଣା ବ୍ୟବସାୟୀଙ୍କ ଘରୁ ବହୁ ପରିମାଣର ସୁନା ଗହଣା ଓ ନଗଦ ଟଙ୍କା ଚୋରୀ ହୋଇଥିବା ଜଣାପଡ଼ିଛି। ମାଲକାନଗିରି ସହରର ଡିଏନକେ ମୁଖ୍ୟ ରାସ୍ତାରେ ଥିବା ପ୍ର୍ରସାଦ ଜୁୟେଲର୍ସ ନାମକ ଗହଣା ଦୋକାନର ମାଲିକ ସୁବାଷ ପାଟିନ ଅପରିଚିତ ଦମ୍ପତ୍ତିଙ୍କୁ ଗତ ୩ ମାସ ହେଲା ଘର ଭଡ଼ାରେ ଦେଇଥିଲେ। ଦମ୍ପତ୍ତି ଭଡ଼ାରେ ରହି ଗହଣା ବ୍ୟବସାୟୀଙ୍କ ସମସ୍ତ କାର୍ଯ୍ୟ ପ୍ରତି ତୀକ୍ଷଣ ଦୃଷ୍ଟି ରଖି ଆସୁଥିଲେ। ତେବେ ପ୍ରତିଦିନ ବ୍ୟବସାୟୀ ଜଣକ ଦୋକାନ ବନ୍ଦ କରି ସମସ୍ତ ଗହଣା ଘରେ ନେଇ ରଖୁଥିବା ସମ୍ପର୍କରେ ଦମ୍ପତ୍ତ ଜାଣିଥିଲେ। ତେବେ ଗତକାଲି ରାତିରେ ଦମ୍ପତ୍ତି ଚାକିରି ପାଇଥିବା କହି ଖୁସିରେ ଘର ମାଲିକଙ୍କ ସହ ପୋଡ଼ଶୀଙ୍କୁ ମିଠା ବାଣ୍ଟିଥିଲେ। ଏହି ମିଠା ଖାଇବା ପରେ ପଡ଼ୋଶୀ ଓ ଘର ମାଲିକ ତଥା ଗହଣା ବ୍ୟବସାୟୀ ଘୋର ନିଦ୍ରାରେ ଶୋଇ ପଡ଼ିଥିଲେ। ପରେ ଉକ୍ତ ଭଡ଼ାଟିଆ ଦମ୍ପତ୍ତି ଘରର ସିସି ଟିଭି ସଂଯୋଗ କାଟିବା ସହ ଘରର ଝରକାକୁ ମେସିନରେ କାଟି ଭିତରକୁ ପଶିଥିଲେ ଓ ଘରେ ଥିବା ଆଇରନ ଚେଷ୍ଟରୁ ପ୍ରାୟ ୨୩ଲକ୍ଷ ଟଙ୍କାର ସମସ୍ତ ଗହଣା ଓ ନଗଦ ପ୍ରାୟ ୨ଲକ୍ଷ ଟଙ୍କା ଚୋରି କରି ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସକାଳେ ଉଠି ଦେଖିବା ବେଳକୁ ଘରୁ ଚୋରି ହୋଇଥିବା ଜାଣିପାରି ଥାନାରେ ମାମଲା ରୁଜୁ କରିଛନ୍ତି। ମାଲକାନଗିରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉଦ୍ଧବ ଚରଣ ନାୟକଙ୍କ ନେତୃତ୍ୱରେ ଏସଡିପିଓ ଅଂଶୁମାନ ଦ୍ୱିବେଦୀ, ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗଙ୍କ ସମେତ ପୁଲିସ ସଦଳବଳେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି