ଝାଡ଼େଶ୍ୱର ମନ୍ଦିରରୁ ଚୋରୀ ଉଦ୍ୟମ

ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ସହରର ସର୍ବପୁରାତନ ଶୈବ ପୀଠରେ ଗତକାଲି ବିଳମ୍ବିତ ରାତ୍ରିରେ ଚୋରୀ ଉଦ୍ୟମ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଭାବେ ପରିଚିତ ଶ୍ରୀ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ ଗତକାଲି ଅନ୍ୟ ଦିନମାନଙ୍କ ଭଳି ପୂଜକ ସନ୍ଧ୍ୟା ଆଳତି ପରେ ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ। ଆଜି ସକାଳେ ମନ୍ଦିର ପୂଜକ ଶଙ୍କର୍ଷଣ ମହାପାତ୍ର ଓ ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ପୂଜକମାନେ ଠାକୁରଙ୍କ ନୀତିକାନ୍ତି ପାଇଁ ଆସିବା ବେଳେ ମନ୍ଦିର ମୁଖ୍ୟ ଫାଟକରେ ଥିବା ତାଲାକୁ କୌଣସି ଦୁର୍ବୁତ୍ତ ଭାଙ୍ଗିବା ପାଇଁ ଓଜନିଆ ଜିନିଷ ସାହାଯ୍ୟରେ ପ୍ରହାର କରି ଭାଙ୍ଗିବାକୁ ଉଦ୍ୟମ କରିବା କାରଣରୁ କବାଟରେ ଥିବା କଡ଼ା ବଙ୍କା ହୋଇଥିଲେ ମଧ୍ୟ ଭାଙ୍ଗି ନଥିବା ଦେଖିବାକୁ ପାଇଥିଲେ। ଏନେଇ ମନ୍ଦିର ପୂଜକ ଦେବଗଡ଼ ଥାନା ପୁଲିସକୁ ମୌଖିକ ସୂଚନା ଦେବା ସହ ମନ୍ଦିର ପରିସରରେ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।