୫୫ ଲକ୍ଷ ଟଙ୍କାର ଚୋରୀ ଆଲୁମିନିୟମ ଉଦ୍ଧାର, ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାସ୍ଥିତ ବେଦାନ୍ତ କାରଖାନାରୁ ଚୋରି ହୋଇଥିବା ପ୍ରାୟ ୨୧ ମେଟ୍ରିକ ଟନ୍ ଆଲୁିମିନିୟମ ବିଲେଟକୁ ଆଜି ଝାରସୁଗୁଡ଼ା ପୁଲିସ ଉଦ୍ଧାର କରିବା ସହ ଜଣଙ୍କୁ ଗରିଫ କରିଛି। ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ସଚିନ୍ଦ୍ର ରାୟ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଗତ ମାସ ୧୭ ତାରିଖରେ ସୁପ୍ରିମ ଟ୍ରାନ୍ସପୋର୍ଟ କମ୍ପାନୀରେ ଆଲୁମିନିୟମ ପରିବହନ ପାଇଁ ନିୟୋଜିତ ଥିବା ଏକ ଭାରୀଯାନ ବେଦାନ୍ତ କାରଖାନରୁ ୨୧ ମେଟ୍ରିକ୍ ଟନର ଆଲୁମିନୟମ ବିଲେଟ ନେଇ ଖଡ଼ଗପୁରସ୍ଥିତ ସେଞ୍ଚୁରିଅନ ଏକ୍ସଟ୍ରୁଜନକୁ ବାହାରିଥିଲା। ହେଲେ ୨୭ ତାରିଖ ଯାଏଁ ଉକ୍ତ ଗାଡ଼ିଟି ଖଡଗପୁର ପହଞ୍ଚି ନଥିବାବେଳେ ଅଭିଯୁକ୍ତ ଡ୍ରାଇଭର ଜଣକ ତା’ର ମୋବାଇଲକୁ ବନ୍ଦ ରଖିଥିଲା। ଫଳରେ ସୁପ୍ରିମ ଟ୍ରାନ୍ସପୋର୍ଟର ଶାଖା ପରିଚାଳକ ରେଜେଶ କୁମାର ଶୁକ୍ଳା ଏନେଇ ବଡ଼ମାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୁଲିସ ଦଳ ପଶ୍ଚିମବଙ୍ଗ ଯାଇ ଛାନଭିନ ଆରମ୍ଭ କରିଥିଲା। ସେଠାରେ ହାୱଡ଼ା ଜିଲ୍ଲା ଶଙ୍ଖରେଲ ଥାନା ଅନ୍ତର୍ଗତ ଦୁଲହାଗଡ଼ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଅଞ୍ଚଳରୁ ଚୋରୀ ଆଲୁମିନିୟମ ବିଲେଟ ଏବଂ ଟ୍ରକକୁ ପୁଲିସ ଉଦ୍ଧାର କରିବା ସହ ଡ୍ରାଇଭରକୁ ଗିରଫ କରିଥିଲା। ଅଭିଯୁକ୍ତମାନେ ପୁଲିସ ହାତରେ ଧରା ନ ପଡ଼ିବା ପାଇଁ ଭାରୀଯାନର ନମ୍ବର ପ୍ଲେଟ ପରିବର୍ତ୍ତନ କରିବା ସହ ଗାଡ଼ିରେ ମଧ୍ୟ ଷ୍ଟିକର ଲଗାଇ ରଙ୍ଗ ପରିବର୍ତ୍ତନ କରିଥିଲେ। ହେଲେ ଝାରସୁଗୁଡ଼ା ପୁଲିସର ତୁରନ୍ତ କାର୍ଯ।।ନୁଷ୍ଠାନ ଏବଂ ପଶ୍ଚମିବଙ୍ଗ ପୁଲିସର ସହାୟତାରେ ସମସ୍ତ ଚୋରୀ ସାମଗ୍ରୀ ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚାଲିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଚୋରୀ ହୋଇଥିବା ଆଲୁମିନିୟମ ବିଲେଟର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।