ହାଇଦ୍ରାବାଦରୁ ପାକ୍ ବାସିନ୍ଦାଙ୍କୁ ହଟାଯାଉନି କହି ଫସିଲେ ଟିଆରଏସ୍ ବିଧାୟକ

ହାଇଦ୍ରାବାଦ,ଏଜେନ୍ସି : ହାଇଦ୍ରାବାଦରେ ଦୀର୍ଘ ଦିନ ଧରି ପାକ୍ ବାସିନ୍ଦା ବସବାସ କରୁଛନ୍ତି। ସେମାନଙ୍କୁ ପଠାଇବାର ବ୍ୟବସ୍ଥା କରାଯାଉନି ବୋଲି ଟିଆରଏସ୍ ବିଧାୟକ ଆରେକପୁଡ଼ି ଗାନ୍ଧୀ ମନ୍ତବ୍ୟ ଦେବାପରେ ବିଜେପି ତରଫରୁ ଥାନାରେ ଅଭିଯୋଗ କରାଯାଇଛି। ହାଇଦ୍ରାବାଦର ସେରିଲିଙ୍ଗମପାଲ୍ଲୀ ବିଧାୟକ ଆରେକପୁଡ଼ି ଗାନ୍ଧୀ ଏକ ସାଧାରଣ ସଭାରେ ଯୋଗଦେଇ ଏହି ବିଷୟ ଉତ୍ଥାପନ କରିଛନ୍ତି। ତାଙ୍କ ମତରେ ବେଶ୍ କିଛିବର୍ଷ ତଳୁ ହାଇଦ୍ରାବାଦରେ ପାକ୍ ବାସିନ୍ଦାମାନେ ବସବାସ କରିବା ସହ ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାର ସନ୍ଦେହ କରାଯାଉଛି।

କ୍ଷମତାସୀନ କେନ୍ଦ୍ର ସରକାର ସେମାନଙ୍କୁ ଭାରତରୁ ହଟାଇବା ବିଷୟ ଚିନ୍ତା କରୁନାହାନ୍ତି। ବରଂ ସେମାନଙ୍କର ସ୍ଥାୟୀ ଥଇଥାନ ବ୍ୟବସ୍ଥା ଚାଲିଛି। କ୍ଷମତାସୀନ କେନ୍ଦ୍ର ସରକାର ସିଏଏ ଲାଗୁ କରିବା ଦୁଃଖର ବିଷୟ। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ପଳାଇ ଆସୁଥିବା ନିର୍ଯାତିତ ସଂଖ୍ୟାଲଘୁ ପରିବାରକୁ ଭାରତର ନାଗରିକତା ଦେବାପାଇଁ ଆଇନ ଲାଗୁ କରି କେନ୍ଦ୍ର ସରକାର ପାକ୍ ମୁସଲିମଙ୍କୁ ଥଇଥାନ ବ୍ୟବସ୍ଥା କରୁଛନ୍ତି। ଟିଆରଏସ୍ ବିଧାୟକଙ୍କ ମନ୍ତବ୍ୟକୁ ଖଣ୍ଡନ କରି ବିଜେପି କହିଛି ଯେ ତାଙ୍କ ଦଳ ପାକିସ୍ତାନ ସମେତ ପଡ଼ୋଶୀ ଦେଶରୁ ପଳାଇ ଆସିଥିବା ମୁସଲିମଙ୍କ ପ୍ରତି ଦରଦୀ ଭାବ ପୋଷଣ କରୁନାହାନ୍ତି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଜୀ ମଧ୍ୟ ସମାନ ବିଷୟ ଉଠାଇ ଆବଶ୍ୟକ ପଡ଼ିଲେ ବିଧାନସଭାରେ ସିଏଏ ବିରୋଧୀ ପ୍ରସ୍ତାବ ଅନୁମୋଦନ କରି କେନ୍ଦ୍ରକୁ ପଠାଇବେ ବୋଲି ଏକ ଭିଡିଓ କ୍ଲିପ୍ରେ କହିଥିବାର ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲୁଥିବା ବିଜେପି କର୍ମୀଙ୍କୁ ଟିଆରଏସ୍ ବିଧାୟକ ସିଏଏ ଏଜେଣ୍ଟ ଭାବେ ଅଭିହିତ କରୁଥିବାରୁ ତେଲେଙ୍ଗାନା ବିଜେପି ମୁଖପାତ୍ର ଏନ୍ଭି ସୁଭାଷ ତାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ସୁଭାଷଙ୍କ ମତରେ ଜଣେ ନିର୍ବାଚିତ ଲୋକପ୍ରତିନିଧି ଭାବେ ଲୋକଙ୍କୁ ସମ୍ବିଧାନ ଓ ସିଏଏ ବିରୋଧରେ ମତାଇବା ଅତ୍ୟନ୍ତ କ୍ଷୋଭର ବିଷୟ। ତେଲେଙ୍ଗାନାବାସୀ ସେଭଳି ବିଧାୟକଙ୍କୁ ଠିକଣା ଜବାବ୍ ଦେବା ଉଚିତ୍। ଘଟଣା ସମ୍ପର୍କରେ ବିଧାୟକ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି ଯେ କିଛି ମୁସଲିମ ବ୍ୟକ୍ତି ତାଙ୍କୁ ଭେଟି ସାକ୍ଷରତା ସର୍ବେକ୍ଷଣ ପ୍ରତି ଆଶଙ୍କା ପ୍ରକଟ କରିବାରୁ ସେ ସେମାନଙ୍କୁ ଆଶ୍ୱସ୍ତ ପ୍ରଦାନ କରିଥିଲେ। ବିଜେପି କର୍ମୀମାନଙ୍କୁ ଘରୁ ତଡ଼ିଦେବା ପାଇଁ କାହାକୁ ପରାମର୍ଶ ଦେଇନାହାନ୍ତି।