କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ବଳବତ୍ତର

ନୂଆଦିଲ୍ଲୀ,ଏଜେନ୍ସି : ଜବାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ପୂର୍ବତନ ଛାତ୍ର ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ଦିଲ୍ଲୀ ସରକାର ପୁଲିସକୁ ଅନୁମତି ପ୍ରଦାନ କରିଛନ୍ତି। କହ୍ନେୟା କୁମାରଙ୍କ ସମେତ ଉମର ଖାଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଆକିବ ହୁସେନ୍, ଉମର ଗୁଲ ଓ ମୁଜିବଙ୍କ ବିରୋଧରେ ମଧ୍ୟ ୨୦୧୬ ଘଟଣାରେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ୨୦୧୬ ଫେବୃଆରୀ ୯ ସନ୍ଧ୍ୟାରେ ଜେଏନୟୁ କ୍ୟାମ୍ପସ୍ ଭିତରେ ସଂସଦୀୟ ହମଲାର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁଙ୍କ ମୃତ୍ୟୁଦଣ୍ଡର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ ଆୟୋଜନ କରିଥିଲେ କହ୍ନେୟା କୁମାର ଓ ତାଙ୍କର ଅନ୍ୟାନ୍ୟ ସହକର୍ମୀଗଣ।

ଉକ୍ତ ଶ୍ରାଦ୍ଧସଭାରେ କହ୍ନେୟା କୁମାର ଓ ତାଙ୍କ ସାଥିଗଣ ଭାରତ ବିରୋଧୀ ସ୍ଲୋଗାନ୍ ସହିତ ପାକିସ୍ତାନ ସପକ୍ଷରେ ସ୍ଲୋଗାନମାନ ଦେଇଥିଲେ। କେବଳ ସେତିକି ନୁହେଁ, ଉକ୍ତ ସଭାରେ ଏକ ବିବାଦୀୟ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଭିଡିଓରେ ପାକିସ୍ତାନ ଜିନ୍ଦାବାଦ, କିତନେ ଅଫଜଲ ମାରୋଗେ, ଘର ଘର ସେ ଅଫଜଲ୍ ନିକଲେଙ୍ଗେ, ଇଣ୍ଡିଆ ତେରେ ଟୁକଡେ ଟୁକଡେ ହୋଙ୍ଗେ’ ଭଳି ସ୍ଲୋଗାନମାନ ପରିବେଷଣ କରାଯାଇଥିଲା। ଦିଲ୍ଲୀ ପୁଲିସ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ କହ୍ନେୟା, ଖାଲିଦ ଓ ଭଟ୍ଟାଚାର୍ଯ୍ୟ ଏବେ ଜାମିନରେ ଅଛନ୍ତି।