ଯାହା ଅଛି ପିଣ୍ଡେ, ତାହା ଅଛି ବ୍ରହ୍ମାଣ୍ଡେ

ମନୋଜ କୁମାର ମହାପାତ୍ର

ଏହି ବିଶାଳ ଅନନ୍ତ ଜଗତ ଓ ଏହାର ସମସ୍ତ ବସ୍ତୁ ସୃଷ୍ଟି ହୋଇଛି ଏକ ନିୟମାଧୀନ ପ୍ରକୃତି ପାଖରୁ। ଯେହେତୁ ଆମେ ଏହାର ଏକ ଅଂଶ, ତେଣୁ ବ୍ରହ୍ମାଣ୍ଡରେ ଯାହା ଅଛି, ମନୁଷ୍ୟ ଦେହରେ ସେଇଆ ଅଛି। ପ୍ରଶ୍ନ ଉଠେ, ଯଦି ଏ ଜଗତ ପ୍ରକୃତି ଦ୍ୱାରା ସୃଷ୍ଟ, ତେବେ ପ୍ରକୃତିର ସ୍ରଷ୍ଟା କିଏ? ଶୂନ୍ୟରୁ ତ କିଛି ସୃୃଷ୍ଟି ହୋଇ ପାରେନା କାହିଁକିନା ଶୂନ୍ୟ ବି କାହାଦ୍ୱାରା ସୃଷ୍ଟି। ଅତୀତରେ ଏଭଳି ଅନେକ ପ୍ରଶ୍ନକୁ ନେଇ ମଣିଷ ପ୍ରଥମେ ଉଦ୍ବେଳିତ ହୋଇଥିଲା। କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରମାଣିତ ସିଦ୍ଧାନ୍ତରେ ପହଞ୍ôଚ ପାରି ନଥିଲା। ପ୍ରକୃତି ଏତେ ବୈଚିତ୍ର୍ୟମୟ ଯେ ସବୁକିଛି ଶୃଙ୍ଖଳିତ ଭାବରେ ଗତି କରୁଛି। ମଣିଷ ଦେଖିଲା ଉଦ୍ଭିଦର ପରାଗ ସଙ୍ଗମକୁ, ଦେଖିଲା ନିଜ ସହିତ ସକଳ ଜୀବଜନ୍ତୁର ଯୌନ ସମ୍ଭୋଗ। ପୁଂଲିଙ୍ଗ ଓ ସ୍ତ୍ରୀଲିଙ୍ଗ ମିଳନରେ ଯେତେବେଳେ ସବୁକିଛି ସୃଷ୍ଟି ହେଉଛି, ମଣିଷ ପ୍ରଥମେ ଲିଙ୍ଗକୁ ପୂଜା କରିବା ଆରମ୍ଭ କଲା। ଲିଙ୍ଗକୁ ଏକ ପ୍ରତୀକ ଭାବରେ ଶିବ ଓ ଶକ୍ତି ଭାବରେ ପୂଜା କଲା। ଭାରତବର୍ଷରେ ଲିଙ୍ଗ ଉପାସନା ଅତ୍ୟନ୍ତ ପୁରାତନ ଯାହା ମହେଞ୍ଜୋଦାରୋର ଖନନରୁ ମିଳିଥିବା ଏକ ମୂର୍ତ୍ତିରେ ଶିବ ଓ ବୃଷଭଙ୍କର ମୂର୍ତ୍ତି ରହିଛି। ଲିଙ୍ଗ ଉପାସନା ବୈଦିକ ସଭ୍ୟତାର ବ୍ରାହ୍ମଣ୍ୟ ଧର୍ମ ଅପେକ୍ଷା ମଧ୍ୟ ପୁରାତନ। ଏଭଳି ଚିନ୍ତନରୁ ମଣିଷ ପ୍ରଥମେ ବିଶ୍ୱାସ କଲା ଯେ ଜଣେ କେହି ଭଗବାନ ରହିଛନ୍ତି ଯିଏ ଏହି ସମସ୍ତ ଜଗତର ସ୍ରଷ୍ଟା। ଏଠାରେ ଯେଉଁ ଶବ୍ଦ ଭଗବାନ ବୋଲି ସ୍ଫୁରିତ ହେଲା ଯାହାର ପ୍ରକୃତ ଅର୍ଥ ହେଉଛି- ଭଗର ଅର୍ଥ ସ୍ତ୍ରୀଲିଙ୍ଗ ଓ ବାନର ଅର୍ଥ ପୁଂଲିଙ୍ଗ। ତା’ ପରେ ପରେ ଏ ବିଶ୍ୱରେ ଅନେକ ଧର୍ମ ଓ ଦର୍ଶନ ସୃଷ୍ଟି ହୋଇଛି ସ୍ରଷ୍ଟାଙ୍କୁ ନେଇ।

ଈଶ୍ୱରଙ୍କୁ ମଣିଷ ସୃଷ୍ଟି କରିଛି ବୋଲି କହିଲେ ଭୁଲ୍ ହେବ ନାହିଁ। ଯେତେ ନୂଆ ନୂଆ ଧର୍ମ ସୃଷ୍ଟି ହେଲା, ସେତେ ସଂଘର୍ଷ ହେଲା ଓ ରକ୍ତପାତ ଘଟିଲା। ମଣିଷ ଭାବିଥିଲା ଯେ ଧର୍ମ ମାଧ୍ୟମରେ ଶାନ୍ତି ଓ ସନ୍ତୋଷ ଲାଭ କରିବ ବହୁ କ୍ଷେତ୍ରରେ। କିନ୍ତୁ ଏହା ବିନାଶକାରୀ ହୋଇଛି ଅତୀତରେ ଓ ଆଜି ମଧ୍ୟ ହେଉଛି। ବିଶ୍ୱରେ ଭାରତ ଏକମାତ୍ର ରାଷ୍ଟ୍ର ଯାହା ସବୁ ଧର୍ମ ଓ ଦର୍ଶନର ଉତ୍ପତ୍ତି ସ୍ଥଳ ବୋଲି କୁହାଯାଏ। ହଜାର ହଜାର ବର୍ଷ ପୂର୍ବରୁ ଯେଉଁ ଛଅଟି ଦର୍ଶନ ବିକଶିତ ହୋଇଥିଲା ଏହି ମାଟିରେ ତାକୁ ଷଡ଼ ଦର୍ଶନ କୁହାଯାଏ। ଏହି ଷଡ଼ ଦର୍ଶନ ଭିତରୁ ବେଦାନ୍ତ ଦର୍ଶନ ଏମିତି ଏକ ସୂକ୍ଷ୍ମ ସୂତ୍ରରେ ପରିପୂର୍ଣ୍ଣ ଆତ୍ମବିଦ୍ୟା, ଯାହାକୁ ଆଜି ବି ପଢ଼ିଲେ ବିସ୍ମିତ ଲାଗେ। ଏହି ବେଦାନ୍ତର ଅଦୈ÷୍ୱତ ବେଦାନ୍ତ ଅଂଶଟି ଅତ୍ୟନ୍ତ ଚମତ୍କାର। ଏହା ବିଶ୍ୱାସ ଉପରେ ପ୍ରତିଷ୍ଠିତ ହୋଇନି, ବରଂ ବିଶ୍ୱାସ, ପ୍ରମାଣ, ଯୁକ୍ତି ଓ ବିବେକ- ବିଚାର ଉପରେ ପ୍ରତିଷ୍ଠିତ। ଜଣେ ଯଦି ଏହାର ନିର୍ଦ୍ଦେଶିତ ପଥରେ ପଥିକ ସାଜିବ, ସେ ନିଶ୍ଚିତ ଏହି ଜନ୍ମରେ ତା’ର ଆତ୍ମ-ସାକ୍ଷାତ୍କାର ହୋଇ ପାରିବ ବୋଲି ଆମର ଋଷିମାନେ ଅଭୟ ବାଣୀ ଶୁଣାଇଛନ୍ତି।

ଏହିଠାରେ ଈଶ୍ୱରଙ୍କୁ ସାକ୍ଷାତ କରି ପାରିବ। କିନ୍ତୁ ଜଗତର କୋଣ ଅନୁକୋଣରେ ଈଶ୍ୱରଙ୍କୁ ଖୋଜିଲେ କିମ୍ବା ନିଜଠାରୁ ଅଲଗା କୌଣସି ଜଗତରେ ଈଶ୍ୱର ଏକ ସିଂହାସନାରୁଢ଼ ବିଚାରବନ୍ତ ମହାସତ୍ତା ଭାବେ ଜଗତକୁ ଶାସନ କରନ୍ତି ବୋଲି କଳ୍ପନା କରି ସେହି ଈଶ୍ୱରଙ୍କୁ ଖୋଜିଲେ, ସେ ମିଳିବେ କି ନାହିଁ, ତାହା ବି ଏକ ଗହନ କଥା। ମନ ଦ୍ୱାରା ସୃଷ୍ଟ ଏହି ଜଗତ ଏବଂ ଜଗତର ସମସ୍ତ ବସ୍ତୁ ଯେତେବେଳେ ଅନିତ୍ୟ, ସେତେବେଳେ ଈଶ୍ୱରସମ ଏକ ଉଚ୍ଚତମ ସତ୍ତା ଯାହା ବି ଏହି ମନରୁ ଜାତ, ତାହା ନିଶ୍ଚିତ ଅନିତ୍ୟ ହୋଇ ପାରନ୍ତି, କିଏ ଜାଣେ? ତା’ ବାଦ୍ ଈଶ୍ୱରଙ୍କୁ ବାହ୍ୟ ପୂଜା ପଦ୍ଧତି ଓ ଉପାସନା ମାଧ୍ୟମରେ ଖୋଜିଲେ ବି ମନର ଆବଶ୍ୟକତା ରହିଛି, ବିନା ମନ ସାହାଯ୍ୟରେ କିଛି କରି ହେବନି। ତେଣୁ ଆମେ ସିଧା ମନକୁ ସଂଯତ କରି ଅନ୍ତର୍ମୁଖୀ କାହିିଁକ ନ ହେବା? ସେଥିପାଇଁ ଋଷିମାନେ ଇଆଡ଼େ ସିଆଡ଼େ ମନ ବୁଦ୍ଧିର ଅଗୋଚର ସ୍ରଷ୍ଟା ବା ପରମ ସତ୍ୟକୁ ନ ଖୋଜି ଗଭୀର ଧ୍ୟାନାବସ୍ଥାରେ ନିମଗ୍ନ ହେଲେ ଏବଂ ଯାହା ଦେଖିଲେ, ତାହା ହିଁ ଉପନିଷଦ ଭାବରେ ଆଜି ଆମ ନିକଟରେ ଉପଲବ୍ଧ। ବୃହଦାରଣ୍ୟକ ଉପନିଷଦରେ ଜ୍ଞାନଦୀପ୍ତ ଋଷିମାନେ ସେଥିପାଇଁ ଏହି ସୃଷ୍ଟି ବା ବିଶ୍ୱ ବ୍ରହ୍ମାଣ୍ଡକୁ ଗୋଟିଏ ବିରାଟ ଅଶ୍ୱ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ବିରାଟ ଅଶ୍ୱର ମସ୍ତକ ହେଉଛି ଊଷା, ଆଖି ହେଉଛି ସୂର୍ଯ୍ୟ। ପ୍ରାଣ ହେଉଛି ବାୟୁ। ଏହାର ଉନ୍ମୁଖ ମୁଖ ହେଉଛି ବୈଶ୍ୱାନର- ଅଗ୍ନି ଏବଂ ଏହାର ଆତ୍ମା ସମ୍ବତ୍ସର ବା କାଳ। ଏହାର ପିଠି ଦ୍ୟୁଲୋକ, ଏହାର ଉଦର ଅନ୍ତରୀକ୍ଷ ଇତ୍ୟାଦି ଇତ୍ୟାଦି। ମନୁଷ୍ୟର ଯେମିତି ଦେହ, ଇନ୍ଦ୍ରିୟ, ମନ, ବୁଦ୍ଧି, ଚିତ୍ତ ଇତ୍ୟାଦି ରହିଛି, ଏହି ଅଶ୍ୱ ରୂପକ ଜଗତରେ ସେ ସମସ୍ତ ରହିଛି। ତେଣୁ ସେମାନେ କହିଲେ ଯାହା ଅଛି ପିଣ୍ଡେ, ତାହା ଅଛି ବ୍ରହ୍ମାଣ୍ଡେ। ଭଗବାନ ବୁଦ୍ଧ ମଧ୍ୟ ସେହି ଏକା କଥା କହିଛନ୍ତି- ରୂପ, ଅନୁଭବ, ଇନ୍ଦ୍ରିୟାନୁଭୂତି, ମାନସିକ ସଂକଳ୍ପ- ବିକଳ୍ପ ବା ମାନସିକ ଗଠନ ଓ ଚେତନା। ମନୁଷ୍ୟର ରୂପ ଉପାଦାନଟି ଜଗତର ଚାରୋଟି ବିଶାଳ ମୌଳିକତା ଦ୍ୱାରା ଗଠିତ ଏବଂ ପ୍ରତ୍ୟେକ ରୂପ ବା ଆକାର ଏଇଥିରୁ ଉଦ୍ଭବ ହୁଏ। ସେଗୁଡ଼ିକ ହେଲା- ପୃଥ୍ୱୀ, ଜଳ, ଅଗ୍ନି ଓ ବାୟୁ। ପୃଥ୍ୱୀ ଉପାଦାନଟି ପ୍ରତ୍ୟେକ ମନୁଷ୍ୟ ଭିତରେ ଏବଂ ବାହାରେ ବିରାଜିତ।

ଏହା ଘନୀଭୂତ ଓ କଠିନ। ମନୁଷ୍ୟର ମୁଣ୍ଡର ବାଳ, ଦେହର ବାଳ, ନଖ, ଦାନ୍ତ, ଚର୍ମ, ମାଂସ, ହାଡ଼, ମଜ୍ଜା, ବୃକ୍କ, ହୃତ୍ପିଣ୍ଡ, କଲିଜା, ଫୁସ୍ଫୁସ୍, ଇତ୍ୟାଦି ମନୁଷ୍ୟ ଓ ସକଳ ଜୀବ ଭିତରେ ରହିଛି। କଠିନ୍ତ ଅବସ୍ଥାରେ ରହିଛି। ନିଜ ଭିତରେ ଏବଂ ବାହାରେ ଏସବୁ ରହି ଥିବାରୁ ଏହାକୁ ପୃଥ୍ୱୀ ଉପାଦାନ କୁହନ୍ତି। ଶରୀର ଭିତରେ ରହିଛି ଜଳ, ଜଳୀୟ ଅଂଶ, ରକ୍ତ, ପୂଜ, ଚର୍ବି ଇତ୍ୟାଦି। ଠିକ୍ ସେପରି ମନୁଷ୍ୟ ଭିତରେ ଶୂନ୍ୟସ୍ଥାନକୁ ହାଡ଼, ମାଂସ, ଚର୍ମ ଇତ୍ୟାଦି ଖଞ୍ଜି ନିର୍ମାଣ କରାଯାଏ, ତାକୁ ଦେହ କୁହନ୍ତି। ଏହା ଗୋଟିଏ ରୂପ ହୋଇଯାଏ। ଅଗ୍ନି ଉପାଦାନ ଉଭୟ ମନୁଷ୍ୟ ଭିତରେ ଓ ବାହାରେ ରହିଛି। ଦେହରେ ରହିଛି ଉତ୍ତାପ, ବୟସ, ଖାଦ୍ୟର ପାଚକ କ୍ରିୟା ଇତ୍ୟାଦି। ସେହି ଉତ୍ତାପ ମନୁଷ୍ୟକୁ ବଞ୍ଚାଇ ରଖିଛି। ବାୟୁ ଉଭୟ ମନୁଷ୍ୟର ଭିତରେ ଓ ବାହାରେ ରହିଛି। ମନୁଷ୍ୟର ନିଃଶ୍ୱାସ-ପ୍ରଶ୍ୱାସ, ଉଦରରେ ବାୟୁ ଏବଂ ଶରୀର ମଧ୍ୟସ୍ଥ ଅନେକ ଅଂଶରେ ବାୟୁ ଚଳପ୍ରଚଳ। ପୃଥ୍ୱୀ, ଜଳ, ବାୟୁ ଓ ଅଗ୍ନି ଯାହା ଜୀବ ଭିତରେ ଓ ବାହାରେ ରହିଛି, ସେସବୁ କ୍ଷଣସ୍ଥାୟୀ। ପ୍ରତି କ୍ଷଣ ପରିବର୍ତ୍ତିତ ହେଉଛି। ଉପନିଷଦର ଦିବ୍ୟଦ୍ରଷ୍ଟା ଋଷିମାନେ ଜଗତ ଓ ଜୀବର ଭୌତିକ ଓ ମାନସିକ ଗଠନ ପାଖରେ ଅଟକି ନ ଯାଇ ଆହୁରି ଗଭୀରତମ ପ୍ରଦେଶକୁ ଗତିକରି ଦେଖିଲେ ଯେ ଏ ଜଗତ ପଶ୍ଚାତ୍ରେ ଗହିଛନ୍ତି ଏକ ଓ ଅଦ୍ୱୈତୀୟ ଶୁଦ୍ଧ ଚୈତନ୍ୟ ଯିଏ ନିତ୍ୟ ଓ ଅପରିବର୍ତ୍ତନୀୟ। ଯେତିକି ଏହି ରିଲେଟିଭ୍ ୱର୍ଲଡ୍କୁ ପଛରେ ପକାଇ ଆବସଲ୍ୟୁଟ୍ ଅଭିମୁଖେ ଯାତ୍ରା କରିବା, ସେତିକି ନିଜ ସ୍ୱରୂପକୁ ଚିହ୍ନିବାର ସୁଯୋଗ ମିଳିବ, ନହେଲେ ଏହି ନାମ ରୂପ ଜଗତରେ ବୁଲି ବୁଲି ହନ୍ତସନ୍ତ ହେଉଥିବା।

ଏହା କେବେ ବି ମନର କଳ୍ପନା ନୁହେଁ, କାହିଁକିନା ଆମେ ଚେତନା ଦ୍ୱାରା ସ୍ପଷ୍ଟ ଭାବରେ ନିଜକୁ ଦେଖି ପାରିବା ସହିତ ଏ ଜଗତରେ ସବୁକିଛିକୁ ଅନୁଭବ କରି ପାରନ୍ତି। କିନ୍ତୁ ଯେବେ ଆମେ ଇନ୍ଦ୍ରିୟ ଲାଳସା ଓ ଯୌନ ସମ୍ଭୋଗ ଇତ୍ୟାଦିରେ ମଜ୍ଜି ରହିବା, ଆମେ କେବେ ବିଶୁଦ୍ଧ ଚୈତନ୍ୟଙ୍କର ବା ଆତ୍ମାର ଦର୍ଶନ କରି ପାରିବା ନାହିଁ। କାରଣ ଏହି କାମିନୀ, କାଞ୍ଚନ ହେଉଛି କୁମ୍ଭୀର ସଦୃଶ। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ, ଆମେ କେବେ କ’ଣ କୁମ୍ଭୀରର ଲାଞ୍ଜକୁ ଧରି ମହାସାଗରକୁ ପାରି ହୋଇ ପାରିବା?