ଅଶୋକ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଅଶୋକ ସାହୁଙ୍କର ଗୁରୁବାର ବିୟୋଗ ଘଟିଛି। ସ୍ୱର୍ଗତଃ ସାହୁଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।
ସୂଚନାଯୋଗ୍ୟ ଯେ ପୁଲିସ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପରେ ସ୍ୱର୍ଗତଃ ସାହୁ ବିଜେପିରେ ସାମିଲ ହୋଇଥିଲେ। ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭଳି ବହୁ ସଂଗଠନ ସହ ସେ ଜଡ଼ିତ ଥିଲେ।

ଏହା ପରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଦଳର ବିଭିନ୍ନ ସାଂଗଠନିକ ପଦବୀରେ ରହିବା ପରେ ସ୍ୱର୍ଗତଃ ସାହୁ ରାଜ୍ୟ ଉପସଭାପତି ଭାବେ ଦାୟୀତ୍ୱ ତୁଲାଇଥିଲେ। ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ୬୮ ବର୍ଷୀୟ ସ୍ୱର୍ଗତଃ ସାହୁ ଆଜି ପ୍ରାତଃ ସମୟରେ ଚିକିତ୍ସିତ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉଭୟ ନେତା କହିବା ସହ ଏଭଳି ଦୁଃଖଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତଃ ସାହୁଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ସମବେଦନା ଜଣାଇଛନ୍ତି।