ପୁଡୁଚେରୀ,ଏଜେନ୍ସି: ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀଙ୍କ ନେତୃତ୍ବ ପୁଡୁଚେରିର କଂଗ୍ରେସ ସରକାର ସୋମବାର ବିଧାନସଭାରେ ଆସ୍ଥା ଭୋଟର ପ୍ରମାଣ ଦେବେ। ବିରୋଧୀଙ୍କ ଅଭିଯୋଗ କ୍ରମେ ଉପ-ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ସଂଖ୍ୟା ଗରିଷ୍ଠତାର ପ୍ରମାଣର ଦିନକ ପୂର୍ବରୁ ଶାସକ ମେଣ୍ଟରୁ ୨ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଉଭୟ କଂଗ୍ରେସ ଓ ଡିଏମ୍କେର ଜଣେ ଲେଖାଏଁ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରବିବାର କଂଗ୍ରେସ ବିଧାୟକ କେ ଲକ୍ଷ୍ମୀନାରାୟଣ ପ୍ରଥମେ ବାଚସ୍ପତି ଭିପି ଶିବକୋଲୁନ୍ଧୁଙ୍କୁ ତାଙ୍କ ବାସଭବନରେ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ।
ଲକ୍ଷ୍ମୀନାରାୟଣ ବିଧାୟକ ପଦରୁ ଇସ୍ତଫା ଦେବା ସହିତ କଂଗ୍ରେସ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା କହିଛନ୍ତି। ଇସ୍ତଫା ଦେବା ପରେ ଲକ୍ଷ୍ମୀନାରାୟଣ ସାମ୍ବାଦିକଙ୍କୁ କହିଛନ୍ତି ଯେ ପୁଡୁଚେରିର କଂଗ୍ରେସ ନେତୃତ୍ବ ମେଣ୍ଟ ସରକାର ସଂଖ୍ୟାଲଘୁ ହୋଇପଡିଛି। ଲକ୍ଷ୍ମୀନାରାୟଣଙ୍କ ପରେ ଡିଏମକେର ବିଧାୟକ ଭେଙ୍କଟେଶ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଭେଙ୍କଟେଶ ମଧ୍ୟ ବାଚସ୍ପତିଙ୍କୁ ତାଙ୍କ ବାସଭବନରେ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ। ତେବେ ଭେଙ୍କଟେଶ ବିଧାୟକ ପଦରୁ ଇସ୍ତଫା ଦେଇଥିବାବେଳେ ଦଳ ସହିତ ରହିଛନ୍ତି। ପୁଡୁଚେରିରେ କଂଗ୍ରେସ, ଡିଏମକେ ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ନେଇ ମେଣ୍ଟ ସରକାର ଚାଲିଥିଲା।
ଶାସକ ମେଣ୍ଟ ପଛରେ ଏବେ ମାତ୍ର ୧୨ ବିଧାୟକଙ୍କ ସମର୍ଥନ ଥିବାବେଳେ ବିରୋଧୀ ମେଣ୍ଟରେ ୧୪ ବିଧାୟକଙ୍କ ସମର୍ଥନ ରହିଛି। ଗତ ମାସକ ମଧ୍ୟରେ କଂଗ୍ରେସ ୪ଜଣ ବିଧାୟକ ଦଳ ଛାଡିବା ସହିତ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୩୩ ଆସନ ବିଶିଷ୍ଟ ପୁଡୁଚେରି ବିଧାନସଭାରେ ଶାସକ ମେଣ୍ଟ କଂଗ୍ରେସର ୯, ଡିଏମକେର ୩ ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ସେହିପରି ବିରୋଧୀ ମେଣ୍ଟରେ ଏଆଇଏନଆରସିର ୭, ଏଆଇଏଡିଏମକେର ୪ ଓ ବିଜେପିର ୩ ଜଣଙ୍କ ସମର୍ଥନ ରହିଛି। ବିଧାନସଭାର ୭ଟି ଆସନ ଖାଲିପଡିଛି।