ଭୁବନେଶ୍ୱର କଟକ ମଧ୍ୟରେ ଚାଲିବ ଜନସାଧାରଣ ଏକ୍ସପ୍ରେସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : କଟକର ବାହ୍ୟ ଅଞ୍ଚଳଗୁଡ଼ିକ ସହିତ ଦୈତ୍ୟ-ନଗରୀ ଯାତ୍ରୀମାନଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ କଟକ ମଧ୍ୟରେ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରାଯିବ। ଏହି ଟ୍ରେନ୍ ଭୁବନେଶ୍ୱର ଓ କଟକ ଦୈତ୍ୟନଗରୀ ସହ ଆଖପାଖ ଯାତ୍ରୀମାନଙ୍କ ଗମନାଗମନ ପାଇଁ ସହାୟକ ହେବ। ଏହି ଟ୍ରେନ୍ ଏକ ସର୍କୁଲାର୍ ଟ୍ରେନ୍ ଭଳି ଚଳାଚଳ କରିବ। ଭୁବନେଶ୍ୱର ଠାରୁ ଏହି ଟ୍ରେନ୍ ବାରଙ୍ଗ ଓ ଗୋପାଳପୁର, ବାଲିକୁଦା ମାର୍ଗ ଦେଇ କଟକ ଯିବ ଏବଂ ସେଠାରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର, ନରାଜ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଫେରିବ। ଟ୍ରେନ୍ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରାଯିବ, ଯାହାକି ମାର୍ଚ୍ଚ ପହିଲାରୁ ୩୧ତାରିଖ ମଧ୍ୟରେ ଚଳାଚଳ କରିବ। ୦୮୪୬୦ ଭୁବନେଶ୍ୱର-କଟକ ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରଠାରୁ ଅପରାହ୍ଣ ୧ଟା ୩୦ମିନିଟରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବାକୁ ଥିବାବେଳେ ଫେରିବାବେଳେ ଏହି ଟ୍ରେନ୍ କଟକଠାରୁ ଅପରାହ୍ଣ ୨ଟା ୪୦ରେ ଯାତ୍ରା ଆରମ୍ଭ କରି ଅପରାହ୍ଣ ୫ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ।

ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଟ୍ରେନ୍ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୂବନେଶ୍ୱର(ନୂଆ), ବାରଙ୍ଗ, ଗୋପାଳପୁର, ବାଲିକୁଦା ଓ କାଠଯୋଡ଼ି ଷ୍ଟେସନମାନଙ୍କରେ ରହଣି କରିବାକୁ ଥିବାବେଳେ ଫେରିବା ବେଳେ ଏହା କଟକ ଓ ଭୁବନେଶ୍ୱର ମଧ୍ୟରେ କେନ୍ଦ୍ରାପଡ଼ା ରୋଡ୍, ମଙ୍ଗୁଳି, ଚୌଦ୍ୱାର, ନିର୍ଗୁଣ୍ଡି, ଶାଳଗାଁ, ଚାରବାଟିଆ, ବଡ଼ପଦାଗାଁ, ଗୁରୁଡ଼ିଝାଟିଆ, ମାଛପୁର, ରାଧାକିଶୋରପୁର, ଘଣ୍ଟିଖୋଲ, ନିଧିପୁର, ସର୍ପେଶ୍ୱର, ନରାଜ ମାର୍ଥାପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ପଟିଆ, ମଞ୍ଚେଶ୍ୱର, ଓ ବାଣୀବିହାର ଷ୍ଟେସନରେ ରହଣି କରିବ। ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଏକ ମେମୁ ଟ୍ରେନ୍କୁ ଉପଯୋଗ କରାଯିବ, ଯାହାକି ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀ ସହ ଆଖପାଖ ଚୌଦ୍ୱାର, ଆଠଗଡ଼, ବଡ଼ମ୍ବା, ନରସିଂହପୁର ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳର ଯାତ୍ରୀଙ୍କ ଗମନାଗମନ ପାଇଁ ସହାୟକ ହେବ। ଯାତ୍ରୀ ଭିଡ଼ ସମସ୍ୟା ଦୂର ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ରେଳ ଚଳାଚଳ କରାଯାଇଥିବା ସୂଚନା ଦିଆଯାଇଛି।