ନୂଆଦିଲ୍ଲୀ,ଏଜେନ୍ସି: ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାମାନଙ୍କୁ ମୁକ୍ତ କରିବା ଦିଗରେ ତଥା ବିଶେଷ ସେବା ପ୍ରଦାନ କରିବାରେ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ପ୍ରଥମ ତିନିଜଣ ମହିଳା ପାଇଲଟଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିବା ସହିତି ମୋଟ ୧୫ଜଣ ମହିଳାଙ୍କୁ ନାରୀ ଶକ୍ତି ସମ୍ମାନ ପ୍ରଦାନ କରିଛନ୍ତି।
ସେମାନେ ହେଲେ ୧୦୩ ବର୍ଷୀୟ ଆଥଲେଟ୍ ମନ୍ କୌର, ଭାରତୀୟ ବାୟୁସେନାର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ମୋହନ ସିଂ ଜିତରୱାଲ, ଭାବନା କାନ୍ତ ଏବଂ ଅବନୀ ଚତ୍ତୁର୍ବେଦୀ, କୃଷକ ପଦଲା ଭୁଦେବୀ ଓ ବିନା ଦେବୀ, କଳାକାର ଆରିଫା ଜାନ, ପରିବେଶବିତ୍ ଚାମି ମୁର୍ମୁ, ଉଦ୍ୟୋଗୀ ନୀଲଜା ୱାଙ୍ଗମୋ, ଅଟୋମୋବାଇଲ୍ ଅନୁସନ୍ଧାନ ପ୍ରଫେସନାଲ ରଶ୍ମି ଉଦ୍ଧ୍ୱର୍ଆରଦେଶି, ଲେଡି ମାସନ୍ କାଳାବତୀ ଦେବୀ, ଟ୍ୱିନ୍ ପର୍ବତାରୋହୀ ତାଶି ଏବଂ ନଙ୍ଗସି ମଲିକ୍, ଶାସ୍ତ୍ରୀୟ କଣ୍ଠଶିଳ୍ପୀ କୌଷିକୀ ଚକ୍ରବତୀ ଏବଂ ୯୮ ବର୍ଷିୟ କାର୍ତ୍ତିୟିନି ଆମ୍ମା ଯିଏ ୨୦୧୮ ରେ ସାକ୍ଷରତା ପରୀକ୍ଷାରେ ଶୀର୍ଷରେ ରହିଛନ୍ତି।
ଏହି ତିନି ପାଇଲଟ୍ ୨୦୧୮ରେ ମିଗ୍-୨୧ରେ ଏକାକୀ ଉଡାଣ ଭରିଥିଲେ। ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ସେମାନଙ୍କୁ ହାକିମ୍ପେଟ୍ ବାୟୁସେନା ଘାଟିରେ କଠୋର ତାଲିମ ଦିଆଯାଇଥିଲା।
ପୁରୁଷ ପ୍ରାଧାନ୍ୟ ଦୁନିଆକୁ ଏମାନେ ଦେଖାଇ ଦେଇଛନ୍ତି ଯେ, ଏଭଳି କିଛି କାମ ନାହିଁ ଯାହା ମହିଳା କରି ପାରିବେ ନାହିଁ। ଏମାନେ ଯୁଦ୍ଧ ବିମାନ ଉଡାଇବା ପରେ ଆହୁରି ଅଧିକ ମହିଳା ଯୁଦ୍ଧ କ୍ଷେତ୍ରରେ ଆସିବାର ସମ୍ଭାବନା ବଢିଯାଇଛି। ଏମାନେ ସାହସିକତା ଏବଂ ପ୍ରେରଣା ବ୍ୟତୀତ ମହିଳା ସଶକ୍ତିକରଣର ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି।