ଟୋକିଓରେ ପହଞ୍ଚିଲା ଅଲିମ୍ପିକ୍‌ସ ମଶାଲ

ଟୋକିଓ,ଏଜେନ୍ସି: କରୋନା ମହାମାରୀ ଯୋଗୁଁ ସାରା ଦେଶ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସବୁ ଖେଳ ବାତିଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟୋକିଓ ଅଲମ୍ପିକ୍ସ ପ୍ରତି ଧ୍ୟାନ ଦିଆଯାଇନାହିିଁ। ତେବେ କରୋନା ଭୟକୁ ନେଇ ସାରା ଦେଶରେ ନିୟମକୁ କଡ଼ାକଡ଼ି କରାଯିବା ସହ ଭିଡ ନ ଜମାଇବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ଏହି କ୍ରୀଡ଼ାକୁ ନେଇ କୌଣସି ସଚେତନତା କରାଯାଇନାହିିଁ। ଟୋକିଓ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ଜାପାନରେ ପ୍ରସ୍ତୁତି ଜୋର ଧରିଛି। କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍‌ସର ଜନ୍ମଦାତା ଗ୍ରୀସରୁ ଅଲିମ୍ପିକ୍‌ସ ମଶାଲ ଶୁକ୍ରବାର ଟୋକିଓରେ ପହଞ୍ଚିଛି। ଗ୍ରୀସରୁ ସ୍ୱତନ୍ତ୍ର ଚାଟାର୍ଡ ବିମାନ ମାଟସୁହିମା ଯୋଗେ ୨୦୧୧ ସୁନାମିରେ କ୍ଷତବିକ୍ଷତ ହୋଇଥିବା ଜାପାନର ହିଗାସିମାତୁସୁହିମା ଷ୍ଟାଡ଼ିୟମରେ ପହଞ୍ଚିଥିଲା।

ପୂର୍ବତନ ଜାପାନ ଅଲିମ୍ପିଆନ ସାଓରି ୟୋହିଦା ଏବଂ ତାଡାହିରୋ ନୋମୁରା ମଶାଲକୁ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୨୦୦ ଶିଶୁ ଉପସ୍ଥିତ ରହି ମଶାଲକୁ ସ୍ୱାଗତ କରିଥିଲେ। ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଚାଲିଥିବା ବେଳେ ଏପର୍ଯ୍ୟନ୍ତ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇ ସାରିଛନ୍ତି। ଏହିଭଳି ଜାପାନ ଅଲମ୍ପିକ୍‌ସ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି। ଗୁରୁବାର ଏଥେନ୍ସରେ ବିନା ଦର୍ଶକରେ ଆୟୋଜିତ ଉତ୍ସବରେ ଟୋକିଓ ଅଲିମ୍ପିକ୍‌ସ -୨୦୨୦ ମର୍ଶାଲକୁ ଆୟୋଜକ ଜାପାନଫ ଗ୍ରହଣ କରିଥିଲା। ଗ୍ରୀସ୍ ଅଲିମ୍ପିକ୍‌ସ କମିଟି ମୁଖ୍ୟ ସ୍ପାଇରସ କାର୍ପାଲସ ଟୋକିଓ ଗେମ୍ସ ପ୍ରତିନିଧି ନାକୋ ଇମାଟୋକୁ ଉକ୍ତ ମଶାଲ ପ୍ରଦାନ କରିଥିଲେ। ଜାପାନର ପୂର୍ବତନ ସନ୍ତରଣକାରୀ ଉକ୍ତ ମଶାଲକୁ ଧରି ଦୌଡ଼ିଥିଲେ। ଜାପାନରେ ଉକ୍ତ ମଶାଲ ଶୋଭାଯାତ୍ରା ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।