୨୭ରେ ହେବ ବିଧାୟକଙ୍କର କରୋନା ଟେଷ୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭା ଅଧିବେସନ ସେପ୍ଟେମ୍ବର ୨୯ରେ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୨୭ ତାରିଖରେ ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ ହେବ। ବିଧାୟକଙ୍କ ସହ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ ହେବ। ୨୭ ଓ ୨୮ ତାରିଖ ୨ଦିନ ସ୍ୱତନ୍ତ୍ର କ୍ୟାମ୍ପରେ ଟେଷ୍ଟ କରାଯିବ। ଟେଷ୍ଟ ନେଇ ବିଏମସି କମିଶନର ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଅଧିବେସନ ବେଳେ କାହାକୁ ଅସ୍ୱାଭାବିକ ଲାଗିଲେ ଆଣ୍ଟିଜେନ୍ ଟେଷ୍ଟ କରିପାରିବେ। ଏଥିସହିତ ଅକ୍ଟୋବର ୪ରେ ମଧ୍ୟ ସବୁ ବିଧାୟକଙ୍କର ଟେଷ୍ଟ କରାଯିବ। ବିଧାନସଭା ସଚିବାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ। ଟେଷ୍ଟ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇବାକୁ ବିଏମସିକୁ ନିର୍ଦ୍ଦେଶ ଦିଆଯାଇଛି।