ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନିର୍ମାଣର ଏକ ବର୍ଷ ନପୁରୁଣୁ ଗ୍ରୀଣ୍ଡୋଲା-କାଉଦରହ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏବେ ରସ୍ତାଟି ଖାଲଖମାରେ ଭର୍ତ୍ତି ହେବାସହ ବର୍ଷା ପାଣି ଜମି ରହୁଛି। ଏଠାରେ ଅନେକ ଲୋକ ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବାବେଳେ ରାସ୍ତାରେ ଯାତାୟତ କରୁଥିବା ଶତାଧିକ ଲୋକ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି।
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରୁ ସୁନ୍ଦରଗଡ଼ ଜିଲ୍ଲା କିନିକା, ହେମଗିରକୁ ସଂଯୋଗ କରୁଥିବା ଏହି ରସ୍ତାଟି ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ି଼ ରହିଥିଲା। ବାରମ୍ବାର ସ୍ଥାନୀୟ ଲୋକଙ୍କ ଦାବି ପରେ ଗତ ୨୦୧୯ ମସିହା ନଭେମ୍ବର ୮ ତାରିଖ ଦିନ ଏହି ରାସ୍ତା ନିର୍ମାଣ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସମେତ ବସୁନ୍ଧରା କ୍ଷେତ୍ରର ଜିଏମ ସଞ୍ଜୟ ଝା, ଲଖନପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ପ୍ରଧାନ ପ୍ରମୁଖ ଉପସ୍ଥିତି ରହି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ଚକ ଚକିଆ ରସ୍ତା ମଧ୍ୟ ନିର୍ମାଣ କରାଗଲା। ହେଲେ ନିର୍ମାଣର ବର୍ଷେ ନହେଉଣୁ ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇସାରିଲାଣି। ବର୍ଷେ ମଧ୍ୟରେ ରାସ୍ତାର ଏପରି ଦୂରାବସ୍ଥା ଅତିନିମ୍ନ ମାନର କାର୍ଯ୍ୟ ଯୋଗୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାସହ ତଦନ୍ତ କରି ରାସ୍ତା ନିର୍ମାଣ କରିଥିବା ଠିକାଦାର ଓ ଯନ୍ତ୍ରୀ ବିିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ରାସ୍ତାଦେଇ ବସୁନ୍ଧରା କୋଇଲା ଖଣିରୁ ଛତିଶଗଡ଼ ସହିତ ଅନ୍ୟାନ ସ୍ଥାନକୁ କୋଇଲା ପରିବହନ ହେଉଛି। ଫଳରେ ନିୟମିତ ଭାରିଯାନ ଚଳାଚଳ କରୁଥିବା ଏହି ରାସ୍ତାକୁ ଉଚ୍ଚମାନର ତିଆରି କରାଯାଉ ବୋଲି ଗାବିନ୍ଦ ବଢ଼େଇ, ସୁଭାରାମ ପ୍ରଧାନ, କୃପା ସା, ଗୌରାଙ୍ଗ କିଶାନ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ଦାବି କରିଛନ୍ତି।