କୃଷକଙ୍କ ସହ ସରକାର ପ୍ରବଞ୍ଚନା କରୁଛନ୍ତି: କଂଗ୍ରେସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟ କୃଷି ବିଭାଗ ଠିକ୍ ସମୟରେ ଚାଷୀମାନଙ୍କୁ ବିହନ ପ୍ରଦାନ କରିପାରିଲା ନାହିଁ। ୬ଲକ୍ଷ କ୍ୱିଣ୍ଟାଲ ବଦଳରେ ମାତ୍ର ୩.୫ ଲକ୍ଷ କ୍ୱିଣ୍ଟାଲ ବିହନ ଯୋଗାଣ ହେଲା। ଚାଷୀମାନଙ୍କ ପାଇଁ ଅତ୍ୟାବଶ୍ୟକ ୟୁରିଆ ସାରର ମଧ୍ୟ ଘୋର ଅଭାବ ପରିଲକ୍ଷିତ ହେଉଛି। ଏପଟେ ସଠିକ୍ ସମୟରେ ବର୍ଷା ନହେବା ଯୋଗୁଁ ରାଜ୍ୟରେ ଗୁରୁତର ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲାଣି। ଉପଯୁକ୍ତ ଜଳସେଚନ ସୁବିଧା ନଥିବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କଂଗ୍ରେସ ଅଭିଯୋଗ କରିଛି। ଗୁରୁବାର ଏନେଇ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କୃଷି ନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା କହିଛନ୍ତି। ରାଜ୍ୟ ସରକାର କୃଷକଙ୍କ ସହ ଆଉ କେତେଦିନ ପ୍ରବଞ୍ଚନା କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ନିଜ ଅଭିଯୋଗରେ ସେ କହିଛନ୍ତି, ବାହାଘର ବେଳେ ବାଇଗଣ ରୁଆ ଭଳି ବର୍ତ୍ତମାନ କେନାଲ ସଫା ଆରମ୍ଭ ହୋଇଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଇ ନାହିଁ। ଯାହାଦ୍ୱାରା କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ଚାଷୀମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେବେ। ଏସବୁ ମୁଖ୍ୟ ସମସ୍ୟାରୁ ନଜର ହଟାଇବା ପାଇଁ ଗତ ୪ ତାରିଖରେ କୃଷିମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଉଦ୍ଭଟ ତଥ୍ୟ ପ୍ରଦାନ କରିଛନ୍ତି। କୃଷକମାନଙ୍କୁ କୃଷିମନ୍ତ୍ରୀ ତାଚ୍ଛଲ୍ୟ କରି ସୋସିଆଲ ମିଡିଆରେ ପାଠପଢ଼ିବା କଥା କହୁଛନ୍ତି। କୃଷି ବିଭାଗ ଦେଇଥିବା ତଥ୍ୟ ଅନୁସାରେ ୯ଲକ୍ଷ ୨୦ ହଜାର ଚାଷୀଙ୍କୁ ହ୍ୱାଟ୍ସଆପ ଗ୍ରୁପରେ ସାମିଲ କରାଯାଇଛି ଯାହା ସମ୍ପୂର୍ଣ୍ଣ ଅବାସ୍ତବ ଏବଂ କପୋଳକଳ୍ପିତ।