ଶିଳ୍ପାୟନଜନିତ ପ୍ରଦୂଷଣ ରୋକିବା ପାଇଁ ଗଠନ ହେବ ଫେକ୍ଟ ଏଣ୍ଡ ଫାଇଣ୍ଡିଙ୍ଗ କମିଟି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଶିଳ୍ପାୟନଜନିତ ପ୍ରଦୂଷଣକୁ ରୋକିବା ପାଇଁ ବିଜେଡି ପକ୍ଷରୁ ଏକ ବୈଠକ ଅନଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏକ ଫେକ୍ଟ ଏଣ୍ଡ ଫାଇଣ୍ଡିଙ୍ଗ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କମିଟି ଜିଲ୍ଲାରେ ଶିଳ୍ପାୟନ ଓ ଏଥିଯୋଗୁ ପାଉଁଶ ପୋଖରୀ ପ୍ରଦୂଷଣ ହେଉଥିବା ଅନୁଧ୍ୟାନ କରି ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଅବଗତ କରାଇ ପ୍ରଦୂଷଣ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ କରାଯିବ। କମିଟିର ସଦସ୍ୟ ହିସାବରେ ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ହରିଶ ଗଣତ୍ରା, ରଘୁମଣି ପଟେଲ, ଲକ୍ଷ୍ମୀ ନାରାୟଣ ପଟେଲ, ଶାନ୍ତିଲତା ପ୍ରଧାନ, ଦିଗାମ୍ବର ଭୋଇ, ବେଣୁଗୋପାଳ ପାଣିଗ୍ରାହୀ, ଦେବେନ୍ଦ୍ର କିଶୋର ପତି ଓ ମୋତିଲାଲ ତନ୍ତି ରହିଛନ୍ତି।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଏନଟିପିସି ଝାରସୁଗୁଡ଼ା ଲଇକେରା ବ୍ଲକ ତିଲେଇମାଲରେ ପାଉଁଶ ପୋଖରୀ କରିବା ପାଇଁ ନିଷ୍ପତ୍ତି ନେଇଛି। ସେହିପରି ଝାରସୁଗୁଡ଼ାକୁ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ପିପିଏଲ୍ ଓ ଭେଡ଼ାବାହାଲରେ ୟୁଏନ୍ପିପିରେ ମଧ୍ୟ ପାୱାର ପ୍ଲାଣ୍ଟ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଝାରସୁଗୁଡ଼ା ଜିଲ୍ଲା ମଲଦା, ପତ୍ରାପାଲି, ହିର୍ମାରେ କେନ୍ଦ୍ର ସରକାଙ୍କ ପକ୍ଷରୁ ଏନଏଲସି ପ୍ରକଳ୍ପ ଓ ଏହାର ଆଶପଣ୍ଡ ପାଇଁ ଜମି ଅଧିଗ୍ରହଣ ଆରମ୍ଭ କରିଛନ୍ତି। ଏହାସହ ଝାରସୁଗୁଡ଼ା ଲଖନପୁର ବ୍ଲକ କନକତୋରା ନିକଟରେ ଏନଟିପିସି ପ୍ରକଳ୍ପ ତିଆରି କରାଯାଇଛି। ଏହାପୂର୍ବରୁ ଜିଲ୍ଲାରେ ବେଦାନ୍ତ, ଏସଏମ୍ସି, ଏମ୍ଏସ୍ପି, କଣ୍ଟାକ୍ଟ ଷ୍ଟିଲ ଏବଂ ଲଖନପୁର ଅଞ୍ଚଳରେ ଓପିଜିସି, ଇଣ୍ଡ ଭାରତ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଲାଗି ଶ୍ରୀପୁରା ଗରାମ ପଞ୍ଚାୟତରେ ଭୂଷଣ ଷ୍ଟିଲ ଏବଂ ତା’ପାଖରେ ଆଦିତ୍ୟ ବିର୍ଲ୍ଲା ରହିଛି। ଏହାସହ ଜିଲ୍ଲାରେ ଅନେକ ଛୋଟବଡ଼ ଶିଳ୍ପାୟନ ଏବଂ ସେଗୁଡିକର ଆଶପଣ୍ଡ ରହିଛି । ଏଥିପାଇଁ ଜିଲ୍ଲାରେ ବହୁ ମାତ୍ରାରେ ପ୍ରଦୂଷଣ ବଢୁଛି ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଏହାସହ ଏହି ପ୍ରଦୂଷଣକୁ ରୋକିବା ପାଇଁ ଏକ ଫେକ୍ଟ ଏଣ୍ଡ ଫାଇଣ୍ଡିଙ୍ଗ କମିଟି ତିଆରି ପାଇଁ ନିିଷ୍ପତ୍ତି ନିଆଯାଇଛି।