ଜମି ଅଧିଗ୍ରହଣର ୩୦ ବର୍ଷ ପରେ ବି ନିଯୁକ୍ତି ନମିଳିବାରୁ ଆମରଣ ଅନଶନରେ ସମ୍ପୂର୍ଣ୍ଣ ପରିବାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମହନଦୀ କୋଲ ଫିଲ୍ଡ ଲିମିଟେଡ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମକୁ ଅଧିଗ୍ରହଣ କରି କୋଇଲା ଖନନ ଜାରି ରଖିଛି। ହେଲେ ଏହି କୋଇଲା ଖନନ ପାଇଁ ଜମି ହରାଉଥିବା ଲୋକେ ଆଜି ମଧ୍ୟ ଉପେକ୍ଷିତ ହୋଇ ବୁଲୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି। ୩୦ ବର୍ଷ ଧରି ଏମସିଏଲର ପ୍ରତାରଣାର ଶିକାର ହେବାପରେ ଶେଷରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କିରାରମା ଗ୍ରାମର ଦିଲ୍ଲୀପ କୁମାର ସିଂଦେଓଙ୍କ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି। ସେମାନଙ୍କ କହିବାନୁସାରେ, ଲଖନପୁର ତହସିଲ ଅନ୍ତର୍ଗତ କିରାରମା ମୌଜା ଖାତା ନମ୍ବର ୧୧୦ ଓ ୬୫ରୁ ୧୯୮୪ ମସିହାରେ ୨୯ ଏକର ୧୦ ଡେସିମିଲ ଜମି ଏମସିଏଲ ଅଧିଗ୍ରହଣ କରିଥିଲା। ସେ ସମୟରେ ଜମି ହରାଇଥିବା ପ୍ରତ୍ୟେକ ଲୋକଙ୍କୁ ଚାକିରୀ ପ୍ରଦାନ କରାଯାଇଥିଲା। ହେଲେ ତାଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ଚାକିରି ପ୍ରଦାନ କରାଯାଇ ନାହିଁ। ବାରମ୍ବାର ଏମସିଏଲ ନିକଟରେ ଦରଖାସ୍ତ ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଶେଷରେ ବାଧ୍ୟହୋଇ ଅନଶନ ଆରମ୍ଭ କରିଛନ୍ତି ବୋଲି ଦିଲ୍ଲୀପ କହିଛନ୍ତି। କେବଳ ଏତିକି ନୁହେଁ, ଏମସିଏଲ ନିଯୁକ୍ତି ନଚେତ ନୂତନ ନିୟମ ଅନୁସାରେ କ୍ଷତିପୂରଣ ରାଶି ପ୍ରଦାନ ନ କରିବା ଯାଏଁ ଏହି ଅନଶନ ଜାରି ରହିବ ବୋଲି ସେ କହିଛନ୍ତି।