ମନରେଗାରେ ମାଟି କାମ କରୁଛନ୍ତି ଇଞ୍ଜିନିୟର

ବଲାଙ୍ଗିର,ଏନ୍ଏନ୍ଏସ୍ : କରୋନା ଯୋଗୁଁ ଅନେକ ଲୋକ ତାଙ୍କର ଜୀବିକା ହରାଇଛନ୍ତି । ବାହାର ରାଜ୍ୟରେ କାମ କରୁଥିବା ବଲାଙ୍ଗିର ଜିଲ୍ଲାର ଅନେକ ଯୁବକ ଫେରି ଆସି ଏବେ ବେକାର ହୋଇ ଯାଇଛନ୍ତି । ତେବେ ଅନ୍ୟ ରାଜ୍ୟରେ ଏକ ଘରୋଇ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିବା ଜଣେ ଯୁବକ କରୋନା ଯୋଗୁଁ ଚାକିରି ହରାଇ ବଲାଙ୍ଗିର ଆସି ମନରେଗା ଯୋଜନାରେ ମାଟି କାମ କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସମ୍ପୃକ୍ତ ଯୁବକ କାମ କରୁଥିବା ଅଞ୍ଚଳକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପରିଦର୍ଶନରେ ଯାଇଥିଲେ । ଜଣେ ବିଟେକ ଇଞ୍ଜିନିୟର ମାଟି କାମ କରୁଥିବା ଜାଣିବା ପରେ ଜିଲ୍ଲାପାଳ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ଅଫିସକୁ ଆସି ତାଙ୍କୁ ଦେଖା କରିବା ପାଇଁ କହିଥିଲେ । ଯୁବକ ଜଣଙ୍କ ଆସି ଜିଲ୍ଲାପାଳଙ୍କୁ ଦେଖା କରିବା ପରେ ଯୋଗ୍ୟତା ଅନୁଯାୟୀ ତାଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନା ଅନୁଯାୟୀ , ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ଜୁର୍ଲାକାନୀ ଗାଁର ବୈଶାଖୁ ବେରିଆଙ୍କ ଦୁଇପୁଅଙ୍କ ମଧ୍ୟରୁ ବଡପୁଅ ଅନନ୍ତ ୨୦୦୮ ମସିହାରେ ବିଟେକ ଇଞ୍ଜିନିୟରିଂ କରିଥିଲେ । ଏହାପରେ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ ସାଇଟ ଇଞ୍ଜିନିୟର ଭାବେ କାମ କରୁଥିଲେ । ମାର୍ଚ୍ଚ ମାସରେ ଲକଡାଉନ ଲାଗୁ ହେବା ଯୋଗୁଁ ତାଙ୍କୁ ଚାକିରିରୁ ଛଟେଇ କରି ଦିଆ ଯାଇଥିଲା । ଫଳରେ ସେ ଗାଁକୁ ଫେରି ଆସିଥିଲେ । ତେବେ ଘର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୂର୍ବଳ ଥିବାରୁ ସେ ମନରେଗା ଯୋଜନାରେ ମାଟି କାମ କରୁଥିଲେ ।