ଜିଲ୍ଲାରେ କ୍ରୀଡ଼ା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ: କ୍ରୀଡ଼ାମନ୍ତ୍ରୀ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟା ସଭା ଗୃହରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ା ଏବଂ କ୍ରୀଡ଼ାର ଭିତ୍ତିଭୂମି ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ଅବଶ୍ୟକୀୟ ଥିବା ଭିତ୍ତିଭୂମି ଏବଂ କ୍ରୀଡ଼ାର ବିକାଶ ପାଇଁ ଆଲୋଚନା କରାଯାଇଛି। ବିଶେଷ କରି ଜିଲ୍ଲାରେ ଏକ କ୍ରୀଡ଼ା ଛାତ୍ରାବାସର ଆବଶ୍ୟକତା ଥିବା ସମ୍ବନ୍ଧରେ ସାଂସଦ ଏବଂ ବିଧାୟକଗଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ଜିଲ୍ଲାରେ ଥିବା ଖେଳ ପଡ଼ିଆର ଭିତ୍ତିଭୂମିର ଉନ୍ନତୀକରଣ ନିମନ୍ତେ ମନ୍ତ୍ରୀଙ୍କୁ କହିିଥିଲେ। ଜିଲ୍ଲାରେ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ରୁଚି ରଖୁଥିବା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷକଙ୍କ ଆବଶ୍ୟକତା ଥିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଚାନ୍ଦାହାଣ୍ଡି ସଦର ମହକୁମାଠାରେ ଏକ ଖୋଲା ବ୍ୟାୟାମ ଶାଳା କରାଯିବା ପାଇଁ ବିଧାୟକ ଝରିଗାଁ ଇଂ ପ୍ରକାଶ ଚନ୍ଦ୍ର ମାଝୀ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲାରେ ବିଶେଷ କରି ଗ୍ରାମାଞ୍ଚଳରେ ଫୁଟବଲ ଖେଳ ପ୍ରତି ଲୋକଙ୍କ ଅଧିକ ରୁଚି ଥିବାରୁ ଏହି ଖେଳ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ସହାୟତା ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ସୂଚନା ଅଧିକାରୀ ହଳଧର ନିଆଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସୌଭାଗ୍ୟ ନାୟକ ଓ ଏ ସୁରେଶ ପ୍ରମୁଖ ଉପସ୍ଥିତ ଥିଲେ।