ରାୟଗଡାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଖାଲିପଡିଛି ୨୫୮ଟି ଶିକ୍ଷକ ପଦବୀ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ାରେ ବିପର୍ଯ୍ୟସ୍ତ ହୋଇପଡିଛି ମାଧ୍ୟମିକ ଶିକ୍ଷାବ୍ୟବସ୍ଥା। ଜିଲ୍ଲାର ଶତକଡ଼ା ୯୭ ପ୍ରତିଶତ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନାହାନ୍ତି। ଏଭଳି ପରିସ୍ଥିତିରେ କିଭଳି ଚାଲିଛି ସରକାରୀ ବିଦ୍ୟାଳୟରେ ପାଠପଢ଼ା ତାହା ଅନୁମେୟ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଶିକ୍ଷାଦାନ ପାଇଁ ବିଦ୍ୟାଳୟଗୁଡିକ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଫଳରେ ସରକାରୀ ଓ ବେସରକାରୀ ସମସ୍ତ ବିଦ୍ୟାଳୟ ବନ୍ଦ ହୋଇପଡିଛି। ତେଣୁ ଅନଲାଇନ ମାଧ୍ୟମରେ କ୍ଲାସ ହେଉଛି।

ଏହାଦ୍ୱାରା ଶିକ୍ଷାର୍ଥୀ ନିଜ ଘରେ ରହି ମୋବାଇଲ ମାଧ୍ୟମରେ ଭରଚୁଆଲ କ୍ଲାସ ଜରିଆରେ ପାଠ ପଢା ଜାରି ରଖିଛନ୍ତି। ଅନ୍ୟପଟେ ରାୟଗଡାରେ ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ନେଟୱର୍କ ସମସ୍ୟା ଓ ମୋବାଇଲର ସଠିକ ବ୍ୟବହାର ଜଣାନଥିବାରୁ ଅନଲାଇନ ଶିକ୍ଷା ବ୍ୟବସ୍ଥାରୁ ଉପେକ୍ଷିତ ହେଉଛନ୍ତି ବିଦ୍ୟାର୍ଥୀ।

ଜିଲ୍ଲାରେ ୧୩୨ଟି ଉଚ୍ଚ ବିଦ୍ୟାଳୟ ରହିଥିବାବେଳେ ମାତ୍ର ୪ଟି ସ୍କୁଲ (ସିକରପାଇ, ଜଲତାର, କୁମ୍ଭାରଢାମିଣି ଓ ଚାଲକମ୍ବା ଉଚ୍ଚ ବିଦ୍ୟାଳୟ)ରେ ପ୍ରଧାନଶିକ୍ଷକ କାର୍ଯ୍ୟରତ ଅଛନ୍ତି। ସେହିପରି ଉପରୋକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷକଙ୍କ ପଦବୀ ସଂଖ୍ୟା ମୋଟ ୮୫୭ ରହିଥିବାବେଳେ ମାତ୍ର ୫୯୯ ଜଣ ଶିକ୍ଷକ ଅଛନ୍ତି। ପ୍ରତି ସ୍କୁଲ ସ୍ତରରେ ହ୍ୱାଟ୍‌ସଆପରେ ବିଦ୍ୟାର୍ଥୀଙ୍କୁ ପାଠପଢ଼ା ଚାଲିଥିବାବେଳେ ପ୍ରଧାନ ଓ ସହକାରୀ ଶିକ୍ଷକ ବିଦ୍ୟାଳୟରେ ନଥିବାରୁ ଅନଲାଇନ ଶିକ୍ଷାଦାନ ଏକ ପ୍ରକାର ଦିଗହରା ହୋଇପଡ଼ିଛି। ଫଳରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାରେ ଏହାର ସଫଳ ରୂପାୟନ ହୋଇପାରୁନଥିବା ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।