ପୌରପରିଷଦରେ ଆରମ୍ଭ ହେଲା ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା

ଦେବଗଡ,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶା ଇ-ମ୍ୟୁନିସିପାଲଟି ସେବାର ସୁପରିଚାଳନା ପାଇଁ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱାରୋପ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଦେବଗଡ ପୌରପରିଷଦରେ ଗୃହ ଟିକସ ଆଦାୟ ନିମନ୍ତେ ଏମ-ପୋସ ମେସିନର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ଦେବକୀ ପଟେଲ ଏହି ମେସିନର ଶୁଭାରମ୍ଭ କରିଥିଲେ। ଟିକସ ଆଦାୟକାରୀମାନେ କରଦାତାଙ୍କ ଘରକୁ ଯାଇ ଏମ-ପୋସ ମେସିନ ସହାୟତାରେ ଉଭୟ ନଗଦ ଓ କ୍ରେଡିଟ କାର୍ଡ / ଡେବିଟ୍ କାର୍ଡ ଜରିଆରେ ଟିକସ ଆଦାୟ କରିବେ। ଏହାଦ୍ୱାରା କରଦାତାମାନେ ଘରେ ଥାଇ ମଧ୍ୟ ଟିକସ ପୈଠ କରିବାର ସୁବିଧା ପାଇପାରିବେ। ଏହି କାର୍ଯ୍ୟକ୍ରମରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ଜୟପୂରିଆଙ୍କ ସମେତ ଏଚଡିଏଫସି ବ୍ୟାଙ୍କ ଶାଖା ପ୍ରବନ୍ଧକ ରମେଶ କୁମାର ମାଝୀ, ଉପ-ପ୍ରବନ୍ଧକ ବିପିନ ବିହାରୀ ସାମଲ, ୟୁନିଟ୍ ମୁଖ୍ୟ ସୁଶୀଲ କୁମାର ସାହୁଙ୍କ ସମେତ ଏମଆଇଏସ ପ୍ରୋଗାମର ବିନୋଦ କୁମାର ନାଗ, ଇ-ମ୍ୟୁନିସିପାଲଟି ଜିଲ୍ଲା ସଂଯୋଜକ ତ୍ରିବିକ୍ରମ ବଡପଣ୍ଡା, କନିଷ୍ଠ ସହାୟକ ଅଶ୍ୱିନୀ କୁମାର ବେହେରା, ସରୋଜ କୁମାର ପରିଡା, ପୌରପରିଷଦ ଯନ୍ତ୍ରୀ କୁମାରୀ ସରସ୍ୱତୀ ମହାନନ୍ଦ, ଟିକସ ଆଦାୟକାରୀ ରମେଶ ଚନ୍ଦ୍ର ଦଳବେହେରା, ପ୍ରଦୀପ କୁମାର ଦ୍ୱିବେଦୀ, ପୂର୍ଣ୍ଣଚନ୍ଦ୍ର ଦେହୁରି, ବ୍ରଜମୋହନ ସାହୁ, ସୂର୍ଯ୍ୟ କୁମାର ସାହୁ, ରାଜେନ୍ଦ୍ର କୁମାର ନାଏକ, ପଦ୍ମଲୋଚନ ଦେହୁରି ଓ ହିରାଧର ରଞିତଙ୍କ ସମେତ ଅନ୍ୟ ପୌରପରିଷଦ କର୍ମଚାରୀ ଉପସ୍ଥିତ ଥିଲେ। ଇ-ମ୍ୟୁନିସିପାଲଟି ମୋବାଇଲ ଆପ୍ ମାଧ୍ୟମରେ ଜନ୍ମ ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର, ବ୍ୟବସାୟ ଲାଇସେନ୍ସ, ହୋଲଡିଙ୍ଗ ଟିକସ ଆଦି ଇ-ମ୍ୟୁନିସିପାଲଟି ସେବା ଯୋଗାଇଦେବାର ବ୍ୟବସ୍ଥା ଆଗକୁ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୟପୂରିଆ ସୂଚନା ଦେଇଛନ୍ତି।