ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୩,୩୮୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୩୭। ସଂକ୍ରମିତଙ୍କ ମଧ୍ୟରୁ ୧୭୪୮ ଜଣ ସୁସ୍ଥ ହୋଇଛନ୍ତି। ଏହିପରି ଭାବେ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୯୪୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୩୨୫ଟି ଜିଲ୍ଲାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି।
ଦେଶରେ କରୋନା ହଟସ୍ପଟ ଭାବେ ପରିଚିତ ହୋଇଥିବା ମୁମ୍ବଇର ସ୍ଥିତିରେ କିଛିଟା ଉନ୍ନତି ଆସିଛି। ଗତ ୧୧ଦିନ ଧରି ସହରରେ ଯେତେ ପରିମାଣର ନୂଆ ସଂକ୍ରମିତ ଚିହ୍ନଟ ହେଉଥିଲେ ଗୁରୁବାର ସେଥିରେ ୩୫% ହ୍ରାସ ଘଟିଛି। ଗୁରୁବାର ମାତ୍ର ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୮୧ ଓ ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି। ତାମିଲନାଡୁରେ ଗୁରୁବାର ୨୫ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୪୨ ହୋଇଛି। ମଧ୍ୟପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରି ୧୧୧୫ ହୋଇଛି। କେବଳ ଇନ୍ଦୋର ସହରରେ ୫୮୬ ଓ ଭୋପାଳରେ ୧୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଠାରେ ମୃତ୍ୟୁସଂଖ୍ୟା ୫୩ରେ ପହଞ୍ଚିଛି।